ପୁଣିଥରେ ମଣିପୁର ଅଶାନ୍ତ, ମୋବାଇଲ ଇଣ୍ଟରନେଟ ସେବା ବ୍ୟାନ

ନୂଆଦିଲ୍ଲୀ: ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣିଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର। ଏଥିପାଇଁ ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବାକୁ ବ୍ୟାନ କରି ଦିଆଯାଇଛି। ମାତ୍ର ୨ ଦିନ ତଳେ ମଣିପୁରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା। ହେଲେ ଆଜି ଠାରୁ ପୁଣିଥରେ ଏହା ଉପରେ ଲଗାଯାଇଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟନନେଟ ସେବାକୁ ବନ୍ଦ କରାଯାଇଛି। ଏହା ଅକ୍ଟୋବର ୧ ତାରିଖ ୭.୪୫ ଯାଏ କାର୍ୟ୍ୟକାରୀ ହେବ। ଏହାର ଅର୍ଥ ଲୋକମାନେ ଅକ୍ଟୋବର ୧ ଯାଏ ମୋବାଇଲରେ ଇଣ୍ଟରନେଟ ସେବା ପାଇବେ ନାହିଁ। ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ବେହାଲ ହୋଇଥିଲା। ଏଥିପାଇଁ ମେ’ ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କିନ୍ତୁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ୩ ଦିନ ତଳେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା।
କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବାର ରାଜ୍ୟରେ ବିଶାଳ ବିକ୍ଷୋଭ ଦେଖାଯାଇଥିଲା। ରାଜ୍ୟର ଜଣେ ଛାତ୍ର ଓ ଆଉ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି।
ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ନ୍ୟାୟ ପାଇଁ ଶିକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷାର୍ଥୀମାନେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରା କରିବାର ଥିଲା। କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାରୁ ସ୍ଥିତି ବେକାବୁ ହୋଇଥିଲା। ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା।
Powered by Froala Editor