ଟଳିଗଲା ବଡ଼ ଦୁର୍ଘଟଣା : ରେଳ ଧାରଣାରେ ଗର୍ତ୍ତ ଦେଖି ପିନ୍ଧିଥିବା ଲାଲ ସାର୍ଟ ଓହ୍ଲାଇଦେଲା ଏ ପିଲାଟି

ସାନ ସିନା ବୁଦ୍ଧି ତା ମହାନ । ହଁ ଆଜ୍ଞା ଏଠି ଆମେ ସେଭଳି ଜଣେ ପିଲାର କଥା କହୁଛୁ ଯିଏ ନିଜ ବୁଦ୍ଧି ବଳରେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଛି । ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଛି ୧୨ବର୍ଷର ବାଳକ ମୁରସଲିନ ଶେଖ । ପାଖ ଗାଁର ଜଣେ ଦିନ ମଜୁରିଆଙ୍କ ପୁଅ ମୁରସଲିନ ।
ଘଟଣାଦିନ ଟ୍ରେନ୍ଟି ମାଡ଼ି ଆସୁଥିବା ବେଳେ ମୁରସଲିନ୍ ଧାରଣାରେ ଏକ ବିରାଟ ଗର୍ତ୍ତ ଦେଖିଥିଲେ । ବର୍ଷାର ରେଳ ଧାରଣାରୁ ଅଧା ମାଟି ଧୋଇ ହୋଇ ଯାଇଥିବା ବେଳେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା । ହଠାତ କ'ଣ କରିବେ ଚିନ୍ତା କରିପାରି ପିନ୍ଧିଥିବା ଲାଲ ରଙ୍ଗର ଟି-ସାର୍ଟଟି ଓହ୍ଲାଇ ଧାରଣାରେ ପତାକା ପରି ଲହରେଇଥିଲା ।
ସେପଟେ କୁନି ପିଲାଟିଏ ନାଲି ସାର୍ଟ ଧରି ଛିଡ଼ା ହୋଇଥିବା ଦେଖି ଲୋକୋ ପାଇଲଟ୍ ଏମରଜେନ୍ସି ବ୍ରେକ୍ ମାରିଥିଲେ । ଟ୍ରେନ୍ ଅଟକିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ରେଳବାଇ କର୍ମଚାରୀ ।
କଥା କଣ ବୁଝୁବୁଝୁ ଜଣାପଡିଥିଲା ଯେ, ରେଳ ଧାରଣାରେ ବଡ ଗର୍ତ୍ତ ହୋଇଯାଇଛି । ଏହିପଟେ ଟ୍ରେନ ଯାଇଥିଲେ ନିଶ୍ଚିନ୍ତ ଦୁର୍ଘଟଣା ଘଟିଥାନ୍ତା । ସମସ୍ୟାର ସମାଧାନ ପରେ ପୁଣି ଟ୍ରେନଟି ଲକ୍ଷ୍ୟସ୍ଥଳ ଅଭିମୁଖେ ବାହାରିଥିଲା ।ତେବେ ପିଲାଟିର ବୁଦ୍ଧି ଯୋଗୁଁ ତାକୁ ସମସ୍ତେ ସାବାସ ବୋଲି କହିଛନ୍ତି । ତା'ର ସାହସିକତା ପାଇଁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ ।
Powered by Froala Editor