ପନ୍ନୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଚଣ୍ଡିଗଡ଼, ଅମୃତସରର ସମ୍ପତ୍ତି ଜବତ

ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଭାରତ ତାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଘୋଷଣା କରିଛି। ଚଣ୍ଡିଗଡ଼ ଓ ଅମୃତସରରେ ଥିବା ତା ସମ୍ପତ୍ତିକୁ ଏନଆଇଏ ଜବତ କରିଛି।
ପନ୍ନୁ କାନାଡା ଏବଂ ଅନ୍ୟ ଦେଶରୁ ଲଗାତାର ଭାରତ ବିରୋଧୀ ବୟାନ ଦେଇଥାନ୍ତି । ନିକଟରେ କାନାଡା-ଭାରତ ବିବାଦରେ ସେ କାନାଡାରେ ଥିବା ହିନ୍ଦୁମାନଙ୍କୁ ମଧ୍ୟ ଧମକ ଦେଇଥିଲେ । ଏନଆଇଏ ତରଫରୁ ଅମୃତସରର ଗାଁ ଖାନକୋଟରେ ପନ୍ନୁର ୪୬ କନାଲର ସମ୍ପତ୍ତି ଜବତ କରାଯାଇଛି ।
ଖାନକୋଟ ପନ୍ନୁର ପୈତୃକ ଗାଁ ଅଟେ । ଏହା ଏକ କୃଷିଭିତ୍ତିକ ଜମି ଅଟେ । ସେହିପରି ଚଣ୍ଡିଗଡ଼ର ସେକ୍ଟର ୧୫ସିରେ ପନ୍ନୁର ଘର ରହିଛି । ପୂର୍ବରୁ ୨୦୨୦ରେ ଏଗୁଡ଼ିକୁ ଆଟାଚ କରାଯାଇଥିଲା । ଏବେ ଏନଆଇଏ ଏହାକୁ ଜବତ କରିନେଇଛି । ଆଇନ ଅନୁସାରେ ପନ୍ନୁ ଏବେ ଏହି ସମ୍ପତ୍ତିର ମାଲିକ ରହିନାହିଁ । ଏବେ ଏହି ପ୍ରପର୍ଟି ସରକାରଙ୍କ ଅଧୀନକୁ ଚାଲିଆସିଛି । ଭାରତ ସରକାର ୨୦୧୯ରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ଅର୍ଥାତ ୟୁଏପିଏ ଆଧାରରେ ପନ୍ନୁର ସଂଗଠନ ଏସଏଫଜେ ଉପରେ ବ୍ୟାନ୍ ଲଗାଇଥିଲେ ।
Powered by Froala Editor