ସମ୍ଭାବ୍ୟ ବାତ୍ୟାକୁ ନେଇ କ'ଣ କହିଲେ ଆଇଏମଡି ଡିଜି ଜାଣନ୍ତୁ
ଭୁବନେଶ୍ୱର: ଆସୁଛି ବାତ୍ୟା । ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ ବାତ୍ୟା । ଏଭଳି ଆଶଙ୍କା ନେଇ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ବାତ୍ୟା ଚର୍ଚ୍ଚା ସମ୍ପର୍କରେ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନାହୁଁ । ଏଯାବତ କରାଯାଇଥିବା ଅନୁଧ୍ୟାନ ଅନୁସାରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବ । ଲଘୁଚାପର ରୂପ ନେଇ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ । ବାତ୍ୟା ହେବ ବୋଲି ଆମେ ପୂର୍ବାନୁମାନ ଦେଇନୁ । ଏଯାବତ କୌଣସି ବାତ୍ୟା ସୂଚନା ଦେଇନୁ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ଗୁଜବ ଉପରେ ବିଶ୍ୱାସ ନକରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଉପରେ ନଜର ରଖିବାକୁ ସେ କହିଛନ୍ତି ।
ପ୍ରକାଶ ଯେ ଅକ୍ଟୋବର ମାସରେ ବିଶେଷକରି ଓଡ଼ିଶାରେ ବାତ୍ୟା ହୋଇଥାଏ। ୧୯୯୯ ମହାବାତ୍ୟା, ୨୦୨୩ ଫାଇଲିନ, ସିତରାଙ୍ଗ ଆଦି ବାତ୍ୟା ଅକ୍ଟୋବର ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି ବିଭିନ୍ନ ପାଣିପାଗ ମଡେଲ ପକ୍ଷରୁ କୁହାଯାଇଥିଲା । ଯାହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।
Powered by Froala Editor