ମହିଳା ସଂରକ୍ଷଣ ବିଲ୍ ରାଜ୍ୟସଭାରେ ଗୃହୀତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିବସରେ ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ୍ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଐତିହାସିକ ସଫଳତା କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ବିଲ୍କୁ ରାଜ୍ୟ ସଭାରେ ସମସ୍ତ ସାଂସଦଙ୍କ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବା ବେଳେ ବିଲ୍ ବିରୋଧରେ ଗୋଟିଏ ବି ଭୋଟ୍ ପଡ଼ିନାହିଁ। ପ୍ରାୟ ୮ ଘଣ୍ଟାର ସରଗରମ ବିତର୍କ ପରେ ବିଲ୍ ଉପରେ ଭୋଟ୍ ଗ୍ରହଣ ହୋଇଥିଲା ଏବଂ ସମସ୍ତ ସଦସ୍ୟ ବିଲ୍କୁ ସମର୍ଥନ କରି ଇତିହାସ ସୃଷ୍ଟି କରିଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍ ଗତକାଲି ଲୋକସଭାରେ ଗୃହୀତ ହୋଇଥିଲା। ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିବା ବେଳେ ଆଜି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍କୁ ରାଜ୍ୟସଭାରେ ଆଗତ କରିଥିଲେ।
ସଂସଦରେ ଗୃହୀତ ହୋଇଥିବା ଏହି ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ଜନଗଣନା ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ ଏହା କାର୍ୟ୍ୟକାରୀ ହେବ । ସୂଚନାଯୋଗ୍ୟ, ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇପାରୁନଥିଲା ଏବଂ ଏନ୍ଡିଏ ସରକାର ଏହି ବିଲ୍କୁ ସ୍ବତନ୍ତ୍ର ଅଧିବେଶନ ଜରିଆରେ ଗୃହୀତ କରାଇ ମହିଳାମାନଙ୍କୁ ରାଜନୀତିରେ ଐତିହାସିକ ଅଧିକାର ଦେଇଛନ୍ତି।
Powered by Froala Editor