ପୁରୀରୁ ଅସ୍ତରଙ୍ଗ ଟଙ୍କା ପଠାଇଥିଲେ ବାପା...୫ ବର୍ଷ ପରେ ଝିଅ ପାଇଲା ମନିଅର୍ଡର

ଅନଲାଇନର ଜମାନା । ମୋବାଇଲରେ ସବୁ ହେଇଯାଉଛି । ତଥାପି ଆମର ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବେ ଡାକ ବିଭାଗ କାମ କରୁଛି । ଏବେବି କିଛି ଲୋକ ଅଛନ୍ତି ଯେଉଁମାନେ ଡାକବିଭାଗ ଉପରେ ନିର୍ଭରଶୀଳ । କିନ୍ତୁ ବିଭାଗ ତା କାମ ପ୍ରତି କେମିତି ଅବହେଳା କରୁଛି ଏ ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ଘଟଣାଟି ଏମିତି ।
2018 ମସିହା ଅଗଷ୍ଟ 24 ରେ ପୁରୀ ଜିଲ୍ଲାର ପ୍ରକାଶ ରଥ ଝିଅ ଘରକୁ ବାଲିତୃତୀୟ ଭାର ବାଦଦକୁ ହଜାରେ ଟଙ୍କା ପଠାଇଥିଲେ । ଚନ୍ଦନପୁର ପୋଷ୍ଟ ଅଫିସରୁ ମନିଅର୍ଡର ମାଧ୍ୟମରେ ଏକ ହଜାର ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗପୁର ବ୍ଲକ ଆଦିକନ୍ଦପୁର ଶାସନ ଠିକଣାରେ ପଠାଇଥିଲେ । ହେଲେ ବାଲିତୃତୀୟ ଚାଲିଯିବା ପରେ ବି ଝିଅଘରେ ଟଙ୍କା ପହଞ୍ଚିନଥିଲା । ଡାକ ଘରେ ଯୋଗାଯୋଗ କରିବା ପରେ ବି ଟଙ୍କା ଆସିନଥିବା ଡାକ ବିଭାଗର ଅଧିକାରୀ କହିଥିଲେ । ପରେ ଘଟଣାକୁ 5 ବର୍ଷ ବିତିଯାଇଥିଲା ।
ଗତ 4ତାରିଖରେ ଜ୍ୱାଇଁ ସୁଧୀରଙ୍କ ନାଁରେ ମନିଅର୍ଡରଟି ଆସି ପହଞ୍ଚିଥିଲା । 5 ବର୍ଷ ତଳେ ଶ୍ୱଶୁର ପଠାଇଥିବା ମନିଅର୍ଡର ଏବେ ଆସି ପହଞ୍ଚିବା ଘଟଣା ସମସ୍ତଙ୍କୁ ଚକିତ କରୁଛି । ଝିଅର ବ୍ରତ ପାଇଁ ଟଙ୍କା ପଠାଇଥିଲେ ବି ଠିକ୍ ସମୟରେ ନପହଁଚିବାକୁ ନେଇ ଉଭୟ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ।
Powered by Froala Editor