ରାଜ୍ୟରେ ଦୁଇଟି ଲଘୁଚାପ ସମ୍ଭାବନା, ୧୨୦ମିମିରୁ ହେବ ଅଧିକ ବର୍ଷା
ଭୁବନେଶ୍ୱର : ଜୁଲାଇ ମାସରେ ରାଜ୍ୟରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ଅଛି । ୧୮ରୁ ୨୧ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ମଧ୍ୟମରୁ ଭାରୀ ବର୍ଷା ହେବ । ସେହିଭଳି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଏ ବର୍ଷ ତଳି ନ ପକାଇ ସିଧା ଧାନ ବୁଣନ୍ତୁ ବୋଲି ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।
ଡ. ପଶୁପାଳକ କହିଛନ୍ତି, ୧୮ରୁ ୨୧ ଭିତରେ ଲଘୁଚାପ ଓ ମୌସୁମୀ ନିମ୍ନ ଚାପରେଖା ଯୋଗୁ ରାଜ୍ୟରେ ଭଲ ବର୍ଷା ହେବ । କିନ୍ତୁ ଉପକୂଳରେ କମ୍ ବର୍ଷିବ। ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ମୋଟ ୯୦ରୁ ୧୧୦ମିମି ବର୍ଷା ହୋଇପାରେ । ବୁଣା, ରୁଆ ଓ ବେଉଷଣ ପାଇଁ ପାଣି ଉଠି ଯାଇପାରେ । ସେହିଭଳି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଦୀର୍ଘ ଅବଧି ଆକଳନ କହୁଛି । ଏହା ଆନ୍ଧ୍ର ଓଡ଼ିଶା ଉପକୂଳକୁ ମୁହାଁଇପାରେ । ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ହାରାହାରି ୧୨୦ମିମିରୁ ଅଧିକ ବର୍ଷା ହେବ ବୋଲି ସେ କହିଛନ୍ତି ।
Powered by Froala Editor