ଲୋକଙ୍କ ଅଭିଯୋଗକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍ଫରେସନ୍ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସେ କହିଥିଲେ ଯେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଠାରୁ ୧୮ ହଜାର ଅଭିଯୋଗ ଗ୍ରହଣ କରାଯାଇଛି । ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ସଂପର୍କରେ ପଦକ୍ଷେପ ନିଆଯାଉଛି। ବିଭିନ୍ନ ବିଭାଗ ଦ୍ବାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣୀ ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ। ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରି କି ବ୍ଲକ୍ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ୟ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି । ଆଶା କରୁଛି ସମସ୍ତ ବିଭାଗ ଗୁଡିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣୀ କରି ସମାଧାନ କରିବେ । ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନ ଅଭିଯୋଗ ଶୁଣାଣୀ ପ୍ରକ୍ରିୟାକୁ ‘ମୋ ସରକାର’ ଅଧିନରେ ଗ୍ରହଣ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କିପରି କରାଯାଉଛି। ସେ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସଂପର୍କରେ ମତାମତ ନିଆଯିବ।
Powered by Froala Editor