ମଇଳା ଲୁଗା ପିନ୍ଧୁଥିବା ମହିଳା ସୂର୍ପଣଖା ପରି : କୈଳାଶ ବିଜୟଭର୍ଗିୟ
ଯେଉଁ ମହିଳାମାନେ ମଇଳା ଲୁଗା ପିନ୍ଧନ୍ତି ସେମାନେ ଦେଖିବାକୁ ସୂର୍ପଣଖା ସଦୃଶ ବୋଲି ଏକ ସଭାରେ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ । ଜଣେ ବରିଷ୍ଠ ନେତାଙ୍କ ଏହି ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ଭଗବାନ ହନୁମାନ ଓ ମହାବୀରଙ୍କ ଜୟନ୍ତୀ ଉତ୍ସବ ଅବସରରେ ଇନ୍ଦୋରରେ ଆୟୋଜିତ ଏକ ଧାର୍ମିକ ସଭାରେ ଯୋଗ ଦେଇ ଏହା କହିଛନ୍ତି କୈଳାସ ।
ବିଜୟଭର୍ଗିୟ କହିଛନ୍ତି ଯେ , ମହିଳାମାନେ ଖରାପ ପୋଷାକ ପିନ୍ଧି ବାହାରକୁ ଆସୁଛନ୍ତି। ଆମେ ମହିଳାମାନଙ୍କୁ ଦେବୀ ବୋଲି କହିଥାଉ, କିନ୍ତୁ ଦେବୀଙ୍କର ରୂପ ସେମାନଙ୍କ ଭିତରେ ଦୃଶ୍ୟମାନ ହୁଏ ନାହିଁ। ସେ ଆହୁରି କହିଛନ୍ତି, ଭଗବାନ ଭଲ, ସୁନ୍ଦର ଚେହେରା ଦେଇଛନ୍ତି, ଭଲ ପୋଷାକ ପିନ୍ଧ। ପିଲାମାନଙ୍କୁ ଭଲ ସଂସ୍କାର ଦିଅ। ଯଦି ସେମାନେ ମଇଳା ପୋଷାକ ପିନ୍ଧିବେ ତେବେ ସୂର୍ପଣଖା ପରି ଦିଶିବେ ବୋଲି କହିଛନ୍ତି ବିଜୟଭର୍ଗିୟ । ସେ ଯେତେବେଳେ ରାତିରେ ବାହାରକୁ ଯାଆନ୍ତି ଯୁବକମାନେ ନିଶାସକ୍ତ ହୋଇ ବୁଲୁଥିବାର ସେ ଦେଖନ୍ତି । ଏହି ଯୁବକଙ୍କୁ ଚାପୁଡା ମାରିବାକୁ ତାଙ୍କର ଇଚ୍ଛା ହୁଏ । ତେବେ ନାରୀମାନଙ୍କ ପ୍ରତି କୈଳାସଙ୍କ ଏହି ହୀନବୟାନ ପରେ ବିଭିନ୍ନ ମହଲରୁ ତୀବ୍ର ବିରୋଧାଭାସ ପ୍ରକାଶ ପାଇଛି । ଏହା ମହିଳାଙ୍କ ପ୍ରତି ଅସୂୟା ଭାବର ପ୍ରମାଣ ବୋଲି କହିଛନ୍ତି ବିରୋଧୀ ।
କଂଗ୍ରେସ ମୁଖପାତ୍ର ସଂଗୀତା ଶର୍ମା କହିଛନ୍ତି- ବିଜେପି ନେତାମାନେ ମହିଳାମାନଙ୍କୁ ସବୁବେଳେ ଅପମାନିତ କରିଚାଲିଛନ୍ତି । ବିଜେପି ଏହି ଘଟଣାରେ କ୍ଷମା ମାଗୁ ବୋଲି ସେ ଦାବି କରିଛନ୍ତି ।
Powered by Froala Editor