ଏଭଳି କହି କଂଗ୍ରେସକୁ ଟାର୍ଗେଟ କଲେ ଜୟନାରାୟଣ

ଭୁବନେଶ୍ୱର: ଦେଶରେ ଏମର୍ଜେନ୍ସି ଲଗାଇଥିବା କଂଗ୍ରେସ ଗଣତନ୍ତ୍ର କଥା କ’ଣ କହିବ । ଏଭଳି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଜି ରାହୁଲ ଗାନ୍ଧୀଙ୍କୁ ନେଇ ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପ୍ରସଙ୍ଗରେ ଶ୍ରୀ ମିଶ୍ର ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ ଆଇନ ଉପରେ କେହି ନୁହନ୍ତି । ଆମ ଦଳ ନେତାଙ୍କ ବି ସଦସ୍ୟ ପଦ ଯାଇଛି । ଯଦି କଂଗ୍ରେସ ବାଲା କହିବେ ରାହୁଲ ଆଇନ ଉପରେ ତେବେ କିଛି କହିବାର ନାହିଁ । ମନେକର ଜଣେ ଭୁଲ କଲା । ତେବେ ସବୁ ପଛୁଆ ବର୍ଗଙ୍କୁ ଗାଳି କରିବା କେତେ ଯୁକ୍ତିଯୁକ୍ତ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ସେହିପରି ସେ କହିଛନ୍ତି ଯେ କଂଗ୍ରେସ ଏବେ ଗଣତନ୍ତ୍ର କଥା କହୁଛି । ଦେଶରେ ଏମର୍ଜେନ୍ସି ବେଳେ ସମସ୍ତଙ୍କୁ ୧୯ ମାସ ଜେଲ ପଠାଇଛନ୍ତି । ୫୧ର ଆକ୍ଟ ସଂଶୋଧନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚାହୁଁଥିଲେ । ତେବେ ନିଜେ ରାହୁଲ ଗାନ୍ଧୀ ଉକ୍ତ ଅର୍ଡିନାନ୍ସ ପ୍ରସ୍ତାବକୁ ଚିରିଥିଲେ । ଏବେ ସେ ନିଜେ ସେଥିରେ ପଡ଼ିଛନ୍ତି । ଆଉ ଏବେ ଆସି କହିବେ ମୋଦୀ କରିଛନ୍ତି । ଏହା କି ବିଚିତ୍ର କଥା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ପ୍ରଶ୍ନକାଳ ବାତିଲ ନକରି ପୂଜରା ୪ଟା ଯାଏଁ ଗୃହକୁ ମୁଲତବୀ କରାଯିବାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମାଲୋଚନା କରିଛନ୍ତି ।
ପ୍ରକଶ ଯେ ସୋମବାର ଚାଲିପାରିଲାନି ପ୍ରଶ୍ନକାଳ । ସୋମବାର ବିଧାନସଭା ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଥିଲା ଯେ ଗୃହ କାର୍ଯ୍ୟ ପରିଚାଳନା କରିବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିଲେ । କଂଗ୍ରେସ ବିଧାୟକମାନେ ସ୍ୱତନ୍ତ୍ରଭାବେ କଳାରଙ୍ଗର ଡ୍ରେସ ପିନ୍ଧି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଥିଲେ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ମାମଲାରେ ଦଳୀୟ ବିଧାୟକମାନେ ନାରାବାଜି କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି ସମ୍ବୋଧନ କରି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
Powered by Froala Editor