ବଡ଼ଦାଣ୍ଡ ରକ୍ତ ରଞ୍ଜିତ: ରଙ୍ଗମିସ୍ତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ
ପୁରୀ: ପୁଣି ବଡ଼ଦାଣ୍ଡ ହୋଇଛି ରକ୍ତ ରଞ୍ଜିତ । ଜଣେ ରଙ୍ଗମିସ୍ତ୍ରୀଙ୍କୁ ରବିବାର ରାତିରେ ସଂଘବଦ୍ଧ ଭାବେ ହାଣିଛନ୍ତି ଦୁର୍ବୃତ୍ତ । ଗଜପତି ନଗର ସମ୍ମୁଖ ବଡ଼ଦାଣ୍ଡରେ ୭ ଜଣ ମିଶି ଏଭଳି ହାଣିଥିବା ଅଭିଯୋଗ ହୋଇଛି । ହଣାଖାଇ ଗୁରୁତର ହୋଇଥିବା ରଙ୍ଗମିସ୍ତ୍ରୀ ହେଲେ ମାଟିଆପଡ଼ା ଅଞ୍ଚଳରେ ଭଡ଼ାରେ ରହୁଥିବା କୁମୁଟି ସାହିର ପୂର୍ଣ୍ଣଚନ୍ଦ୍ର ଦାସ (୨୪) । ପୁଲିସ ତାଙ୍କୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ ସାନଭାଇ ଏହି ଆକ୍ରମଣକାରୀଙ୍କ ସହ ମିଶୁଥିଲା । ତାକୁ ବାରଣ କରିବା ସହ ଆକ୍ରମଣକାରୀଙ୍କୁ ମଧ୍ୟ ସାନଭାଇ ସହ ନମିଶିବାକୁ ସେ କହୁଥିଲେ । ଏହାକୁ ନେଇ ଆକ୍ରମଣକାରୀମାନେ ପୂର୍ଣଚନ୍ଦ୍ରଙ୍କ ସହ ଯୁକ୍ତି କରିଥିଲେ । ରବିବାର ରାତ ପ୍ରାୟ ୧୦ଟା ବେଳେ ଗଜପତି ନଗର ସମ୍ମୁଖ ବଡ଼ଦାଣ୍ଡରେ ଠିଆ ହୋଇଥିବା ବେଳେ ତାଙ୍କୁ ମିଥୁନ, ତପନ, ବିଶିଆ, କାର୍ତ୍ତିକ ଓ ଦୀପା ଘେରିଥିଲେ । ତାଙ୍କ ସହ ସେମାନେ ଝଗଡ଼ା କରିଥିଲେ। ପୂର୍ଣ୍ଣଚନ୍ଦ୍ର ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ୫ ଜଣ ସେଠାରୁ ପଳାଇଥିଲେ । କିଛି ସମୟ ପରେ ପୁଣି ସେଠାକୁ ୫ ଜଣ ଫେରିଥିଲେ । ତପନ ଓ ବିଶିଆ ତାଙ୍କୁ ଧରିଥିବା ବେଳେ ମିଥୁନ ଏକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲା ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର।
Powered by Froala Editor