ଆଲବମ୍ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ଆତ୍ମହତ୍ୟା ଚର୍ଚ୍ଚା କିନ୍ତୁ ବେକରେ ଲାଗିଛି ବ୍ଲୁଟୁଥ୍

ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ ବଲାଙ୍ଗୀର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଘରୁ ଉଦ୍ଧାର କରାଯାଇଛି। ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାବେଳେ ତାଙ୍କ ବେକରେ ବ୍ଲୁଟୁଥ୍ ଲାଗିଥିଲା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏକ କୋଠରିରେ ରୁଚିସ୍ମିତା ଝୁଲି ପଡ଼ିଥିବା ସମ୍ପର୍କରେ ମାମୁଘର ଲୋକେ ପୁଲିସକୁ ଖବର ଦେଇଥିଲେ। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ପରେ ଶବକୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ମର୍ଗରେ ରଖାଯାଇଛି। ପୁଲିସ ରୁଚିସ୍ମିତା ଆତ୍ମହତ୍ୟା କରିଥିବା ଅନୁମାନ କରୁଥିବା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି।
ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିଥିବା ବେଳେ ଜଣେ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଭାବରେ ବେଶ୍ ଜଣାଶୁଣା। ବିଭିନ୍ନ ସ୍ଥାନରେ ତାଙ୍କ ଷ୍ଟେଜ୍ ଶୋ’ ମଧ୍ୟ ଦେଖିବାକୁ ମିଳୁଥିଲା। ତାଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
Powered by Froala Editor