ୟୁଜି ଓ ପିଜି ନାମଲେଖା ସମୟରେ ଛାତ୍ରଛାତ୍ରୀ ଦାଖଲ କରିବେ ଫି

ଭୁବନେଶ୍ୱର: ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସହଜ ଓ ସଂଗଠିତ ହେବ। ଫର୍ମ ପୂରଣ ସମୟରେ ପିଲାଙ୍କ ସହାୟତା ପାଇଁ ଉଭୟ ଅଡିଓ ଏବଂ ଭିଡିଓ ମାର୍ଗଦର୍ଶିକାର ବ୍ୟବସ୍ଥା ରହିବ। ଛାତ୍ରଛାତ୍ରୀ ନାମଲେଖା ସମୟରେ ହିଁ ଫି’ ଦାଖଲ କରିବେ। ନାମଲେଖା ପରେ ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କଲେ ସେମାନଙ୍କ ଠାରୁ ୨ଟଙ୍କା ରଖି ଅବଶିଷ୍ଟ ଫି’ ଫେରାଇ ଦିଆଯିବ। ଗୋଟିଏ ପର୍ୟ୍ୟାୟରେ ସମସ୍ତ ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଇବ।
ଯୁକ୍ତ ୩ ଓ ପିଜି ନାମଲେଖା ପ୍ରକ୍ରିୟାରେ ହୋଇଥିବା ତ୍ରୁଟିକୁ ସୁଧାରିବ ଉଚ୍ଚଶିକ୍ଷା ବିଭାଗ। ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ସବୁ ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଉ ନ ଥିଲା। ୭୦ ପ୍ରତିଶତ ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଉଥିଲା। କିନ୍ତୁ ଆସନ୍ତା ଶିକ୍ଷା ବର୍ଷଠାରୁ (୨୦୨୩-୨୦୨୪) ସମସ୍ତ ଆସନ ପାଇଁ ଗୋଟିଏ ଥରରେ ହିଁ ମେଧା ତାଲିକା ପ୍ରକାଶ ପାଇବ। କିନ୍ତୁ ନାମଲେଖା ୬ଟି ପର୍ୟ୍ୟାୟରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ପୂର୍ବ ଥର ଇମେଲ୍ ଓ ମୋବାଇଲ୍ ନମ୍ବର ନେଇ ଅନେକ ସମସ୍ୟା ହୋଇଥିବାରୁ ଏଥର ନାମଲେଖା ପ୍ରକ୍ରିୟାରେ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ। ନାମଲେଖା ପ୍ରକ୍ରିୟା ଶେଷ ନ ହେବା ଯାଏ ପିଲାଙ୍କ ଦ୍ୱାରା ଦିଆଯାଇଥିବା ଇମେଲ୍ ଓ ମୋବାଇଲ୍ ‘ଆକ୍ଟିଭ୍ ମୋଡ’ରେ ରଖିବେ। ପିଲାଙ୍କ ଆଧାର ନମ୍ବର ସାର୍ବଜନୀନ ହେବ ନାହିଁ। ସେହିପରି ସିଏଚ୍ଏସ୍ଇରୁ ପିଲାଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ରୋଲ ନମ୍ବର ଦ୍ୱାରା ପିଲାଙ୍କ ସବିଶେଷ ତଥ୍ୟ ସ୍ୱୟଞ୍ଚାଳିତ ଭାବେ ପୂରଣ ହେବ। ସିବିଏସ୍ଇର ମାର୍କ ଓ ଶତକଡ଼ା ନିର୍ଦ୍ଧାରଣ ପଦ୍ଧତ୍ତି ମଧ୍ୟ ସରଳ କରାଯିବ। କ୍ରୀଡ଼ାବିତ୍ଙ୍କ ନାମଲେଖା ସମୟରେ ସେମନଙ୍କ କ୍ରୀଡ଼ା ପ୍ରମାଣପତ୍ର ଯାଞ୍ଚ ପାଇଁ ସରଳ ବ୍ୟବସ୍ଥା କରାଯିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମୟରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ। ପିଲାଙ୍କ ସ୍ଲାଇଡ୍ ଅପ୍ ପାଇଁ ମଧ୍ୟ ସିଏଲ୍ସି ଡାଉନଲୋଡ୍ ପ୍ରକ୍ରିୟାକୁ ସହଜ କରିବା ପାଇଁ ଦୁଇଟି ଅଲଗା ଅଲଗା ଲିଙ୍କ୍ ଉପଲବ୍ଧ କରାଯିବ। ୨୦୨୩-୨୪ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଏହି ନିୟମ କାର୍ୟ୍ୟକାରୀ ହେବାକୁ ଥିବାବେଳେ ଏହାକୁ କଡ଼ାକଡ଼ି ପାଳନ ଓ ପ୍ରକ୍ରିୟାକୁ ଅଧିକ ସରଳ ପାଇଁ ବୈଠକରେ ଗୁରତ୍ୱ ଦିଆଯାଇଛି।
Powered by Froala Editor