ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ଧଳ
ଭୁବନେଶ୍ୱର: ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି । ଏ ନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଆଇଏଏସସ୍ତରରେ କେତେକ ବଦଳି କରିଛନ୍ତି ।ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଧଳ ଦାୟିତ୍ୱ ନନେବା ପର୍ୟ୍ୟନ୍ତ ସୁଶୀଲ କୁମାର ଲୋହାନୀ ସିଇଓ ଭାବେ କାର୍ୟ୍ୟ ଜାରି ରଖିବେ । ଶ୍ରୀ ଧଳଙ୍କୁ ରାଜ୍ୟ ସରକାରରେ କୌଣସି ପ୍ରକାରର ଅତିରିକ୍ତ ନିଯୁକ୍ତି ନଦେବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ନିର୍ବାଚନ ବିଭାଗ(ଗୃହ)ର ଦାୟିତ୍ୱ ତୁଲାଇବେ ତଥା ପ୍ରମୁଖ ସଚିବ ପାହ୍ୟାରେ କାର୍ୟ୍ୟ କରିବେ । ଏବେ ସିଇଓ ଥିବା ଶ୍ରୀ ଲୋହାନୀ ରାଜ୍ୟ ସରକାରରେ ବିଭିନ୍ନ ସଚିବ ଭାବେ କାର୍ୟ୍ୟ କରୁଥିବା ନେଇ ବିଭିନ୍ନସ୍ତରରେ ଆପତ୍ତି ଉଠିଥିଲା । ଯାହାକୁ ଦୃଷ୍ଟିରେ ରଖି ଆଇଏଏସ୍ ଶ୍ରୀ ଧଳଙ୍କୁ କୌଣସି ପ୍ରକାରର ଅତିରିକ୍ତ ଦାୟିତ୍ୱ ନଦେବା ପାଇଁ ରାଜ୍ୟ ସରକାରଙ୍କୁ ଜାତୀୟ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି ।ସୂଚନାଯୋଗ୍ୟ, ଶ୍ରୀ ଧଳ ଏବେ ରାଜ୍ୟ ସରକାରଙ୍କ ଶକ୍ତି ଓ ଅବକାରୀ ବିଭାଗର ପ୍ରମୁଖ ସଚିବ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ କାର୍ୟ୍ୟ କରୁଛନ୍ତି।
Powered by Froala Editor