ସରିଲା ରିମାଣ୍ଡ ଅବଧି, ଜେଲ ଗଲା ଗୋପାଳ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି । ଆଜି ଗୋପାଳଙ୍କ ରିମାଣ୍ଡ ଅବଧି ସରିବା ପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଇଥିଲା । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି । ଝାରସୁଗୁଡ଼ା ଉପକାରାଗାରକୁ ଗୋପାଳଙ୍କୁ ପଠାଯାଇଛି । ଫଲିଗ୍ରାଫ ଓ ନାର୍କୋ ଟେଷ୍ଟ ପରେ ଗତକାଲି ଗୋପାଳଙ୍କୁ ଗୁଜୁରାଟରୁ ଝାରସୁଗୁଡ଼ା ଅଣାଯାଇଥିଲା ।
ପ୍ରକାଶଯୋଗ୍ୟ, ଗତ ମାସ ୨୯ ତାରିଖ ବ୍ରଜରାଜନଗର ଗାନ୍ଧୀଛକଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୋପାଳ ନିଜେ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ ହେଁ କେଉଁ କାରଣରୁ ହତ୍ୟାକାଣ୍ଡ ସଂଘଟିତ ହୋଇଛି ତାହା ଅସ୍ପଷ୍ଟ ରହିଛି । ସେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍ ଆଗରେ ଦେଇ ଆସିଥିବା ବୟାନର ସତ୍ୟାସତ୍ୟ ଯାଞ୍ଚ୍ ଲାଗି ନାର୍କୋ ଟେଷ୍ଟ୍ ଏବଂ ପଲିଗ୍ରାଫ୍ ଟେଷ୍ଟ୍ ଆଦିର ପଦକ୍ଷେପ ନିଆଯାଇଛି । ଏଥିସହ ସିନ୍ ରିକ୍ରିଏସନ୍ କରାଯିବା ସାଙ୍ଗକୁ ସାଇଣ୍ଟିଫିକ୍ ଓ ବାଲାଷ୍ଟିକ୍ ଟେଷ୍ଟ୍ କରାଯାଇଛି । ନିମହାନ୍ସ ଟିମ୍ ସହାୟତାରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ୍ କରାଯାଇଛି । ଫରେନସିକ୍ ସାଇକୋ ଲଜିକାଲ ଆସେସମେଣ୍ଟ୍ ସହ ଏଲ୍ଭିଏ (ଲୋୟର୍ଡ ଭଏସ୍ ଆନାଲିସିସ୍) କରାଯାଇଛି । ନାର୍କୋ ଟେଷ୍ଟ୍ ରିପୋର୍ଟ କ’ଣ ରହିଛି ତାହା ସାର୍ବଜନୀନ ହୋଇ ନ ଥିବାବେଳେ ଏନେଇ ଉତ୍ସୁକତା ଦେଖାଦେଇଛି ।
Powered by Froala Editor