କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀ ଦେଇପାରିବେନି ଏସଏ-୨ ପରୀକ୍ଷା
କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରୀକ୍ଷାର୍ଥୀ ସମ୍ମେଟିଭ-୧ ପରୀକ୍ଷାରେ କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀ ଏସଏ-୨ ପରୀକ୍ଷା ଦେଇପାରିବେନି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଥିପାଇଁ ସେମାନଙ୍କୁ ଏସଏ-୨ ପରୀକ୍ଷା ପାଇଁ ଫର୍ମପୂରଣ କରିବାକୁ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା -୨୦୨୨ ( ଦ୍ୱିତୀୟ)ରେ ଯେଉଁ ବିଷୟରେ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିଲେ , ସମ୍ପୃକ୍ତ ବିଷୟର ମାର୍କ ପ୍ରକାଶକୁ ବାତିଲ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉ କି, ଚଳିତବର୍ଷ ୫ ଲକ୍ଷ ୩୨ ହଜାର ୭୪୬ଜଣ ପରୀକ୍ଷାର୍ଥୀ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ତନ୍ମଧ୍ୟରୁ ୨ ଲକ୍ଷ ୬୫ ହଜାର ୬୩୨ଜଣ ଛାତ୍ର ଥିବାବେଳେ ୨ଲକ୍ଷ ୬୭ ହଜାର ୧୧୪ ଜଣ ଛାତ୍ରୀ ରହିଥିଲେ। କିନ୍ତୁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୩ ହଜାର ୫୮ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେହିଭଳି କପି କରି ୧୪୩ଜଣ ଧରାପଡ଼ିଥିଲେ। କପି କରି ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଫେବୃଆରୀ ୩ରୁ ୯ ତାରିଖ ପର୍ୟ୍ୟନ୍ତ ଚାଲିଥିବା ସମ୍ମେଟିଭ-୨ ପରୀକ୍ଷା ଫର୍ମପୂରଣରୁ ବଞ୍ଚିତ କରାଯାଇଛି।
Powered by Froala Editor