ବର୍ଷେ ଭିତରେ ମଲେଣି ୮ ହାତୀ : ଶୋଇଛନ୍ତି କି ଟ୍ରାକର, ଗଜସାଥୀ?
ହାତୀ ମୃତ୍ୟୁକୁ ନେଇ ବନବିଭାଗ ଚିନ୍ତାରେ ଥିବା କହୁଛି । ହେଲେ କାର୍ଯ୍ୟରେ ଚିନ୍ତିତ ଥିବା ଭଳି ଜଣାପଡୁନି । କାରଣ ଗତ ବର୍ଷେ ଭିତରେ ଆଠଗଡ ବନଖଣ୍ଡରେ ୮ଟି ହାତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ହାତୀ ମୃତ୍ୟୁ ପରେ ତଦନ୍ତ ହେବ ବୋଲି କହି କଥାକୁ ଆଡେଇ ଦେଉଛି ବନବଭାଗ । ହେଲେ କିଛି ଦିନ ଗଲା ପରେ ମାମଲା ଥଣ୍ଡା । ଏମିତି ନୁହେଁ ଯେ, ଦେଠାରେ କର୍ମଚାରୀ କମ୍ ଅଛନ୍ତି । ପ୍ରତି ରେଞ୍ଜରେ ରେଞ୍ଜରଙ୍କ ସହ କର୍ମଚାରୀ ମାଳମାଳ ଅଛନ୍ତି । ହାତୀ ଟ୍ରାକର ସଂଖ୍ୟା ବି କମ୍ ନୁହେଁ । କେଉଁଠି ୨୦ ତ ଆଉ କେଉଁଠି ୩୦ ଟ୍ରାକର ରହିଛି । ତାପରେ ବି ଶିକାରୀଙ୍କ ନଜରରୁ ବର୍ତ୍ତି ପାରୁନାହାନ୍ତି ନିରିହ ହାତୀ ।
ସୂଚନା ଅନୁଯାୟୀ, ଆଠଗଡ ବନଖଣ୍ଡ ଅଞ୍ଚଳରେ ଆଠଗଡ, ଖୁଣ୍ଟୁଣୀ, ବଡମ୍ବା, ନରସିଂହପୁର ପୂର୍ବ ଓ ପଶ୍ଚିମ ରେଞ୍ଜ ରହିଛି । ଯେଉଁଠାରେ ଅଧିକାରୀ ଓ କର୍ମଚାରୀ ପର୍ଯ୍ୟାପ୍ତ ପରିମାଣରେ ଅଛନ୍ତି । ପ୍ରତି ରେଞ୍ଜକୁ ଦୁଇରୁ ୩ ପାଟେଆଲିଂ ଗାଡି ଦିଆଯାଇଛି । ହାତୀଙ୍କୁ ଟ୍ରାକ କରିବାକୁ ଟ୍ରାକର ନିଯୁକ୍ତି କରାଯାଇଛି । ଏମାନେ ଦିନକୁ ୩୩୦ ଟଙ୍କା ନେଉଛନ୍ତି । ସେହିପରି ପ୍ରତି ଗାଁରେ ବନସୁରକ୍ଷା ସମିତି ଅଧୀନରେ ଗଜସାଥୀ ରହିଛନ୍ତି । ମାସକୁ ୧ ହଜାର ଟଙ୍କା ଲେଖାଏଁ ପ୍ରାପ୍ୟ ନେଇ ଏମାନେ ବନବିଭାଗକୁ ସହଯୋଗ କରିବେ ବୋଲି ରହିଛନ୍ତି । ତାପରେ ବି କାର୍ଯ୍ୟକଳାପ ଶୂନ ।
ନିକଟରେ ବଡ଼ମ୍ବା-ହିନ୍ଦୋଳ ରେଞ୍ଜ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଶିକାରୀମାନେ ହାତୀକୁ ଗୁଳି ମାରି ତା ଦାନ୍ତ କାଟି ନେଇଥିଲେ । କିନ୍ତୁ ବନବିଭାଗ ତଦନ୍ତ ଆଗକୁ ବଢିଲାନି । ସେହିପରି ଗତ ବର୍ଷ ବଡମ୍ବା ରେଞ୍ଜରୁ ୬ଟି ହାତୀର କଙ୍କାଳ ମାଟି ତଳୁ ଉଦ୍ଧାର ହୋଇଥିଲା । ସେ ଘଟଣାରେ ୧୨ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ଭିତରେ ଶିକାରୀଙ୍କ ସହ ଫରେଷ୍ଟଗାର୍ଡ ବି ଥିଲେ । ସେତେବେଳେ ବହମ୍ବା-ନରସିଂହପୁର ରେଞ୍ଜରେ ପ୍ରାୟ ୧୦ରୁ ଅଧିକ ହାତୀଙ୍କୁ ମାରି ପୋତି ଦିଆଯାଇଥିବା କୁହାଯାଉଥିଲେ ବି ବନବିଭାଗ କଥାକୁ ଆଗେଇଲାନାହିଁ । ଏ କଥାରୁ ଆଠଗଡରେ ବନବିଭାଗ ହାତୀ ମୃତ୍ୟୁକୁ ନେଇ କେତେ ଚିନ୍ତାରେ ତାହା ଜଣାପଡୁଛି ।
Powered by Froala Editor