୧୭ରେ ଜିଲ୍ଲାରେ ହୋଇପାରେ ପଶ୍ଚିମା ଝଡ
ଭୁବନେଶ୍ୱର : ଆସନ୍ତା ୧୭ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା ଝଡ ହୋଇପାରେ । ଏହାର ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବର୍ଷା ପାଇଁ ଶୀତ କମିବ ବୋଲି କୁହାଯାଇଛି । ରାଜ୍ୟକୁ ଶୀତ ଫେରିବାର ସମ୍ଭାବନା କମ୍ । ଚଳିତମାସରେ ଶୀତ ଆଉ ଫେରିନପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।ଆସନ୍ତା ଦୁଇ ଦିନ ଉପକୂଳ ଓଡ଼ିଶାରେ କେନ୍ଦ୍ରାପଡ଼ାରୁ ଦକ୍ଷିଣରେ ଥିବା ଉପକୂଳଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ବଢ଼ିବ । ଏଥିପାଇଁ ଶୀତ କମିଯିବ । ୧୬ରୁ ୧୯ ଯାଏ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିବ । ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ ।
୧୬ ଓ ୧୭ରେ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ପାଗ ଆଂଶିକ ମେଘୁଆ ସହ ବୁନ୍ଦା ବର୍ଷା ହୋଇପାରେ । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ୧୭ ଓ ୧୮ରେ ପାଗ ମେଘୁଆ ରହିବ । ହାଲୁକା ବର୍ଷା ସମ୍ଭାବନା ବି ଅଛି । ଉପକୂଳ ଜିଲ୍ଲାରେ ଆସନ୍ତା ସପ୍ତାହ ଯାଏ ଭାରୀ କୁହୁଡ଼ି ରହିବ । କାକର ବି ପଡ଼ିବ । ଆସନ୍ତା ସପ୍ତାହଠାରୁ ରାଜ୍ୟକୁ ଶୀତ ଫେରିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।
Powered by Froala Editor