ଶ୍ରୀହୀନ ପଡ଼ିଥିଲା ବଡ଼ଦେଉଳ, ଆଜି ବାପ ଘରୁ ଫେରିବେ ମା’ଲକ୍ଷ୍ମୀ

ପୁରୀ : ପହିଲି ଭୋଗ ଅବସରରେ ମା’ଲକ୍ଷ୍ମୀ ଠାକୁରାଣୀ ବାପ ଘରକୁ ଯାଇଥିଲେ । ଏଣୁ ଶ୍ରୀହୀନ ପଡ଼ିଥିଲା ବଡ଼ଦେଉଳ । ମକର ସଂକାନ୍ତିରେ ଫେରୁଛନ୍ତି ମହାଲକ୍ଷ୍ମୀ । ଏଥିପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ । ଚୂନରା ସେବକମାନେ ବଡ଼ଦେଉଳରେ ରଙ୍ଗ ଲେପି ସୌନ୍ଦର୍ୟ୍ୟପୂର୍ଣ୍ଣ କରୁଛନ୍ତି । ଏହା ହେଉଛି ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା । ଶ୍ରୀମନ୍ଦିର ଚୂନରା ସେବକ ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହନ୍ତି, ମହାଲକ୍ଷ୍ମୀ ଫେରିବା ପୂର୍ବରୁ ଭାରରେ ପଠାଇଥାନ୍ତି ଚୂନ ଓ ଗେରୁ ।
ଶୁକ୍ରବାର ଚୂନ ଲେପନ ଆରମ୍ଭ ହୋଇଛି । ଶନିବାର ମକର ସଂକ୍ରାନ୍ତିରେ ଗେରୁରେ ରାମାନନ୍ଦୀ ଚିତା ଅଙ୍କନ ହେବ । ମହାଲକ୍ଷ୍ମୀଙ୍କ ବାହୁଡ଼ା ପୂର୍ବରୁ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି କରାଯିବାର ପରମ୍ପରା ରହିଥିବା ଶ୍ରୀ ମହାପାତ୍ର କହନ୍ତି । ପୂର୍ବାହ୍ଣରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ସାମୂହିକ ସେବାରେ ଚୂନରା ସେବକମାନେ ବଡ଼ ଦେଉଳର ସୌନ୍ଦର୍ୟ୍ୟ ବୃଦ୍ଧି କାର୍ୟ୍ୟ ଆରମ୍ଭ କରିଛନ୍ତି । କଳସ ଓ ବେକିରେ ଚୂନ ଲେପନ କରାଯାଇଛି । ମକର ସଂକ୍ରାନ୍ତି ଅବସରରେ ରାମାନନ୍ଦୀ ଚିତା ହୋଇ ନୀଳଚକ୍ର ମାଜଣା କରାଯିବ ।
Powered by Froala Editor