ମହିଳା କ୍ରିକେଟର ହୋଟେଲ୍ରୁ ନିଖୋଜ, ଥାନାରେ ଏତଲା

କଟକ: ଓଡ଼ିଶା ମହିଳା କ୍ରିକେଟ୍ ସିନିୟର୍ ଟିମ୍ ଚୟନ ପ୍ରକ୍ରିୟାରେ ବାଦ୍ ପଡ଼ିଯିବା ପରେ ହଠାତ୍ ଜଣେ ଖେଳାଳି ହୋଟେଲ୍ରୁ ନିଖୋଜ ହୋଇଯାଇଛନ୍ତି । ନିଖୋଜ କ୍ରିକେଟିୟର୍ ହେଲେ ରାଜଶ୍ରୀ ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ । କ୍ୟାମ୍ପରେ ନିଜର ଦକ୍ଷତା ପରୀକ୍ଷା ଦେବାକୁ ଆସି ଟିମ୍ରୁ ବାଦ୍ ପଡ଼ିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଖବର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମେତ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ ମୋବାଇଲ୍ ନମ୍ବର ସୁଇଚ୍ଡ୍ ଅଫ୍ ରହିଥିବା ବେଳେ ତାଙ୍କ କଳା ରଙ୍ଗର ଆକ୍ଟିଭା ସ୍କୁଟି (ଓଡ଼ି-୨-ବିଏସ୍-୩୦୧୧) ଏବଂ ହେଲ୍ମେଟ୍ ଆଠଗଡ଼ ବନଖଣ୍ଡ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରୁ ବ୍ରାହ୍ମଣବସ୍ତ ରାସ୍ତାର ତାଳଧଣ୍ଡି ରାସ୍ତାରେ ଏକ ଜଙ୍ଗଲ ନିକଟରୁ ମିଳିଛି । ଗାଡ଼ି ଏବଂ ହେଲମେଟ୍ ମିଳିଥିଲେ ହେଁ ରାଜଶ୍ରୀଙ୍କର ସନ୍ଧାନ ମିଳିପାରିନାହିଁ । ରାଜଶ୍ରୀଙ୍କ ପତ୍ତା ନମିଳିବା ଘଟଣା ଓସିଏ କର୍ମକର୍ତ୍ତାଙ୍କୁ ଅଡ଼ୁଆରେ ପକାଇବା ସହ ସାଥୀ ଖେଳାଳି ଏବଂ ପରିବାର ଲୋକଙ୍କୁ ଆଶଙ୍କାରେ ଛନ୍ଦିଛି । ଓସିଏ ପକ୍ଷରୁ ମହିଳା କ୍ରିକେଟ୍ ଟିମ୍ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଗତକାଲି ରାତିରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । ଏତଲା ଆଧାରରେ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଧାଂଶୁ ଜେନା କହିଛନ୍ତି ।
Powered by Froala Editor