ଗିନିଜ ରେକର୍ଡ : ଗୋଟିଏ ମିନିଟ୍ରେ ୧୧୪୦ ଥର ତାଳି ବଜାଇଲେ ମେୟର
ଗୋଟିଏ ମିନିଟରେ ଆପଣ କେତେଥର ତାଳି ବଜାଇ ପାରିବେ । ୪୦ରୁ ୫୦ ଥର । ଅଧିକ ହେଲେ ୧୦୦ ଥର । ହେଲେ ଆମେରିକାର ଆଇୱାରର ଜଣେ ୨୦ ବର୍ଷୀୟ ଯୁବକ ଗୋଟିଏ ମିନିଟରେ ୧୧୪୦ ଥର ତାଳି ବଜାଇ ଗିନିଜ ରେକର୍ଡ କରିଛନ୍ତି । ଯୁବକ ଜଣକ ହେଉଚନ୍ତି ଡାଲଟନ୍ ମେୟର ।
ଏ ସମ୍ପର୍କରେ ସେ କହିଛନ୍ତି, ପିଲାଦିନୁ ମୁଁ ଏଥିପ୍ରତି ଆଗ୍ରହୀ ଥିଲି । ସ୍କୁଲ୍ରେ ପଢୁଥିବା ବେଳେ ବିଶ୍ୱର ଦ୍ରୁତତମ ତାଳି ବଜାଳି ଥିବା କେଟ୍ ଫ୍ରେଞ୍ଚଙ୍କର ଏକ ଭିଡିଓ ଦେଖି ମୁଁ ପ୍ରେରଣା ପାଇଥିଲି । ତାପରେ ଧୀରେ ଧୀରେ ଅଭ୍ୟାସ ଆରମ୍ଭ କଲି । ଚଳିତବର୍ଷ ମାର୍ଚ୍ଚ ୧୨ରେ ମୁଁ ଗିନିଜ୍ କର୍ତ୍ତୃପକ୍ଷଙ୍କୁ ମୋର ଏହି କାର୍ଯ୍ୟର ରେକର୍ଡ ପଠାଇଥିଲି । ହେଲେ କିଛି ଉତ୍ତର ମିଳିନଥିଲା । ନିକଟରେ ସେମାନେ ତାକୁ ସ୍ୱୀକାର କରିବା ସହ ଏହି କଳା ଅଦ୍ଭୁତ ବୋଲି କହିଛନ୍ତି । ପୂର୍ବରୁ ଏହି ରେକର୍ଡ ଏଲି ବିସପ ନାମକ ଜଣେ ମହିଳା କରିଥିଲେ । ସେ ମିନିଟ୍ରେ ୧୧୦୩ ଥର ତାଳି ବଜାଇ ରେକର୍ଡ କରିଥିଲେ । ମେୟର ଏହି ରେକର୍ଡ କରିବା ପାଇଁ ବିସପ୍ଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା କୌଶଳ ଆପଣାଇଥିଲେ । ତେବେ ଗିନିଜ ରେକର୍ଡ ମିଳିବା ପରେ ମେୟର ବହୁତ ଖୁସି ଅଛନ୍ତି । ସେ ଆହୁରି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ।
Powered by Froala Editor