ଟାଇମ୍ପାସ୍ର ମାଧ୍ୟମ ସାଜିଛି ଆଧୁନିକ ପ୍ରେମ
ଏକ ଶାଶ୍ୱତ, ନିଃସ୍ବାର୍ଥ ଓ ଦୃଢ଼ ବିଶ୍ୱାସର ପ୍ରତୀକ ହେଉଛି ପ୍ରେମ; ଯାହାକି ଦୁଇଟି ଅଚିହ୍ନା ଅଜଣା ମଣିଷ ଭିତରେ ଗଢ଼ିପାରେ ଏକ ନିବିଡ଼ ସମ୍ପର୍କର ଡୋରି। ହେଲେ ଆଜିର ଦୁନିଆରେ କେତେକ ପ୍ରେମୀଯୁଗଳଙ୍କ ପାଇଁ ଯେମିତି ବଦଳିଯାଉଛି ଏହାର ପରିଭାଷା…
ଟାଇମ୍ପାସ୍ର ମାଧ୍ୟମ ସାଜିଛି : ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ଟାଇମ୍ପାସ୍ର ସରଳ ମାଧ୍ୟମ ସାଜିଛି ପ୍ରେମ। ଭଲ ଲାଗୁଥିବା କୌଣସି ପୁଅଝିଅଙ୍କୁ ନିଜର ବୟଫ୍ରେଣ୍ଡ ଅବା ଗର୍ଲଫ୍ରେଣ୍ଡ ଭାବେ ବାଛିନେବା ସହ ତାଙ୍କ ସହିତ ଗପିବା, ବୁଲିଯିବା ଆଦି କାର୍ଯ୍ୟ କରୁଛନ୍ତି। ଏମିତିକି କେହି କେହି ଲିଭ୍ ଇନ୍ ରିଲେସନ୍ଶିପ୍ରେ ରହିବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ସ୍ବାର୍ଥ ପୂରଣ ପରେ ସେମାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ଏବଂ ପରେ ଆଉ ଜଣେ ନୂଆ ସାଥୀଙ୍କ ସହ ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ଅଧୁନା ସମାଜରେ ପ୍ରେମର ଏଭଳି କଳୁଷିତ ରୂପ ଅନେକଙ୍କଠାରେ ଆପରାଧିକ ମନୋବୃତ୍ତି ସୃଷ୍ଟି କରୁଛି।
ପ୍ରେମରେ ବି ଏକ୍ସପେରିମେଣ୍ଟ: ପ୍ରେମର ପ୍ରକୃତ ମୂଲ୍ୟବୋଧ ନ ବୁଝି ଏହାକୁ ନେଇ ଏକ୍ସପେରିମେଣ୍ଟ କରୁଥିବା ପ୍ରେମୀଙ୍କ ସଂଖ୍ୟା ବର୍ତ୍ତମାନ ଅଧିକ। ସାଙ୍ଗସାଥୀଙ୍କ ମଧ୍ୟରେ କାହାର କେତେଜଣ ବୟଫ୍ରେଣ୍ଡ, ଗର୍ଲଫ୍ରେଣ୍ଡ ରହିଛନ୍ତି ଅବା କିଏ କେତେଜଣଙ୍କୁ ପଟାଇ ପାରୁଛି, ତାହାକୁ ନେଇ ମଧ୍ୟ ଚାଲୁଛି ପ୍ରତିଯୋଗିତା। ଏହି ଆଳରେ ଅନ୍ୟ କାହାର ମାନସିକତା ସହ ଖେଳୁଛନ୍ତି ଏବଂ ଠକିବା ଦ୍ୱାରା ଅନ୍ୟର ଜୀବନ ନଷ୍ଟ ମଧ୍ୟ କରୁଛନ୍ତି।
ଲିଭ୍ ଇନ୍ ରିଲେଶନ୍ଶିପ୍: ଦିନ ଥିଲା, ପ୍ରେମ କରୁଥିବା ଝିଅପୁଅମାନେ ସମାଜ ଭୟରେ ଏକାଠି ଭେଟିବା ବୁଲିବା ଆଦିକୁ ସଂକୋଚ କରୁଥିଲେ। ହେଲେ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ହେଲା। କେବଳ ପାର୍କ, ମଲ୍ କିମ୍ବା ଅନ୍ୟାନ୍ୟ ସ୍ଥାନରେ ନୁହେଁ ବରଂ ସ୍କୁଲ୍ କଲେଜରେ ବିନା ଡରରେ ହଳ ହଳ ହୋଇ ବୁଲୁଥିବା ପ୍ରେମୀଯୁଗଳଙ୍କୁ ଦେଖିବାକୁ ମିଳିଲା। ହେଲେ ବର୍ତ୍ତମାନ ବିବାହିତ ଦମ୍ପତିଙ୍କ ଭଳି କେତେକ ଯୋଡ଼ି ଏକାଠି ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି, ଯାହାକୁ ଲିଭ୍ ଇନ୍ ରିଲେଶନ୍ଶିପ୍ ବୋଲି କୁହାଯାଉଛି। ତେବେ ପ୍ରଥମେ ଏହା ଅବୈଧ ହୋଇଥିବା ବେଳେ ବର୍ତ୍ତମାନ ଏହା ଆଇନସମ୍ମତ। ହେଲେ ଏହାଦ୍ୱାରା ନା କେବଳ ବିଭିନ୍ନ ଅଘଟଣ ଘଟୁଥିବାର ନଜିର ରହିଛି। ତା’ଛଡ଼ା ଏହାଦ୍ୱାରା ଅନ୍ୟ ଯୁବପିଢ଼ିଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି।
ବ୍ରେକ୍ ଅପ୍: ବର୍ତ୍ତମାନ ଅନେକେ ପ୍ରକୃତ ପ୍ରେମର ପରିଭାଷାକୁ ନିଜର ସ୍ବାର୍ଥ ପାଇଁ ବଦଳାଇ ଦେଲେଣି। କେହି କେହି ଟାଇମ୍ପାସ୍ ପାଇଁ ପ୍ରେମ କରୁଛନ୍ତି ତ ଅନ୍ୟ କେହି ପ୍ରେମୀଠାରୁ ଆବଶ୍ୟକ ମୁତାବକ ଅର୍ଥ ହାସଲ କରିବା ଲାଗି ପ୍ରେମର ଅଭିନୟ କରୁଛନ୍ତି। ଅନ୍ୟାନ୍ୟ ସ୍ବାର୍ଥ ହାସଲ ପାଇଁ ମଧ୍ୟ ବର୍ତ୍ତମାନ ଅନେକେ ପ୍ରେମର ଛଳନା କରୁଥିବା ଦେଖିବାକୁ ମିଳୁଛି। ଆଉ ସ୍ବାର୍ଥ ହାସଲ ପରେ ସାମାନ୍ୟ କଥାକୁ ନେଇ ଝଗଡ଼ା କରି ବ୍ରେକ୍ ଅପ୍ କରି ଆଉ ଏକ ନୂଆ ସାଥୀଙ୍କ ସନ୍ଧାନ କରିନେଉଛନ୍ତି। ଏହାଦ୍ୱାରା ପ୍ରକୃତ ପ୍ରେମ ପ୍ରତି ଅନେକଙ୍କର ଭରସା ତୁଟିଯାଉଛି। ଏମିତିକି ଏହି ପ୍ରତାରଣା ସହି ନ ପାରି କେହି କେହି ଆମତ୍ହତ୍ୟା ଭଳି ଭୁଲ୍ କାମ କରିବାକୁ ମଧ୍ୟ ପଛାଉନାହାନ୍ତି। ପ୍ରତିଶୋଧ ପରାୟଣ ହୋଇ କେହି କେହି ସୋସିଆଲ୍ ସାଇଟ୍ରେ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ଅଶ୍ଳୀଳ ଫଟୋ, ଭିଡିଓ ଆଦି ଅପ୍ଲୋଡ୍ କରି ଅପରପକ୍ଷକୁ ବଦନାମ୍ କରିବା ଭଳି ସାଇବର କ୍ରାଇମ୍ ମଧ୍ୟ କରୁଛନ୍ତି। ଏମିତିକି ଅନେକେ ପ୍ରେମାନ୍ଧ ହୋଇ ଏସିଡ୍ ଫିଙ୍ଗିବା କିମ୍ବା ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବାର ଅନେକ ନଜିର ରହିଛି।
Powered by Froala Editor