ଆଜି ୯ଟି ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ୯ଟି ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଉଦ୍ଘାଟନ କରିବେ ।
ସେହିପରି ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ପର୍ୟ୍ୟାଲୋଚନା ନିମନ୍ତେ ପରିଷଦ ଦ୍ୱାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନ୍ ମଧ୍ୟ ଆରମ୍ଭ କରିବେ । ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍ ବ୍ଲକ୍, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସମ୍ପ୍ରସାରଣ, ଦେବଗଡ଼ ଜିଲ୍ୱାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ ଓ ଜୁନାଗଡ଼ ଏନ୍ଏସିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଷ୍ଟାଡିୟମ୍ ଓ ନୂଆପଡ଼ା ଜିଲ୍ଲାର କୋମନାରେ ମାଣ୍ଡିଆ ଶସ୍ୟର ପ୍ରକ୍ରିୟାକରଣ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଅନଲାଇନ୍ରେ ଉଦ୍ଘାଟନ କରିବେ ।
ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ୟ୍ୟଟନସ୍ଥଳୀର ବିକାଶ, ବରଗଡ଼ ସହରରେ ଏକ ପାଞ୍ଚ ଶହ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ୟ୍ୟକରଣ ଓ ଆଲୋକୀକରଣ, ବରଗଡ଼ ସହରର ବିକାଶ ବିଦ୍ୟାଳୟରୁ ହଳଦୀପାଲି ଛକ ପର୍ୟ୍ୟନ୍ତ ସିମେଣ୍ଟ୍ କଂକ୍ରିଟ୍ ଡ୍ରେନ୍, ବଲାଙ୍ଗିର ସହରରେ ଏକ ପାଞ୍ଚ ଶହ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଇକୋ ପାର୍କ, କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରରେ କଲ୍ୟାଣ ମଣ୍ଡପ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ମୁକୁଣ୍ଡି ଷ୍ଟାଡିୟମ୍ର ଉନ୍ନତିକରଣ ଓ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରରେ ହଫତଏ ମଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
Powered by Froala Editor