ଜଗଦୀପ ଧନଖଡ଼ ହେଲେ ଦେଶର ନୂଆ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି। ଏନ୍ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ୩୪୬ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି।
ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା। ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ। ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ୍ ମିଳିଥିଲା। ୧୫ଟି ଭୋଟ୍ ନାକଚ ହୋଇଯାଇଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ଲୋକସଭା ମହାସଚିବ ଉତ୍ପଳ କୁମାର ସିଂ ନିର୍ବାଚନ ଫଳାଫଳ ଘୋଷଣା କରି ଧନଖଡ଼ଙ୍କୁ ବିଜୟୀ ଘୋଷଣା କରିଛନ୍ତି।
୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଧନଖଡ଼ ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିଲେ। ଏହାପରେ ସେ ରାଜନୀତିକୁ ଆସି ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ । ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ ।
Powered by Froala Editor