ଖୀରି ହିଂସା ମାମଲାରେ ଆଶିଷ ମିଶ୍ରର ଜାମିନ ଖାରଜ
ଲକ୍ଷ୍ମୀପୁର ଖୀରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରର ଜାମିନ ଖାରଜ କରିଦେଇଛନ୍ତି ଏଲହାବାଦ ହାଇକୋର୍ଟ । ଏହି ହିଂସାକାଣ୍ଡରେ ଆଶିଷ ମିଶ୍ର ଆନ୍ଦୋଳନରତ ଚାଷୀ ଉପରେ ଗାଡ଼ି ଚଢେଇ ଦେଇଥିଲେ। ଫଳରେ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉପୁଜିଥିବା ହିଂସାରେ ୮ ଜଣ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ଫେବ୍ରୁଆରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ କରି ଦେଇଥିଲେ।
ଏଥିସହ ସୁପ୍ରିମକୋର୍ଟ ଆଶିଷଙ୍କୁ ଜାମିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ପରେ ଏପ୍ରିଲରେ ସୁପ୍ରିମକୋର୍ଟ ଆଶିଷଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନକୁ ରଦ୍ଦ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଥିସହ ପୀଡିତ ପକ୍ଷଙ୍କୁ ଭଲଭାବେ ଶୁଣି ଆଶିଷଙ୍କ ଜାମିନ ଉପରେ ନୂଆ କରି ବିଚାର କରିବା ପାଇଁ ହାଇକୋର୍ଟକୁ କହିଥିଲେ ସୁପ୍ରିମକୋର୍ଟ। ଏହାପରେ ହାଇକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ପୁର୍ନବାର ଶୁଣି କରି ଜୁଲାଇ ୧୫ ଯାଏ ରାୟ ସଂରକ୍ଷିତ ରଖିଥିଲେ। ରାୟ ଶୁଣାଇବା ପାଇଁ ଜୁଲାଇ ୨୬ ତାରିଖ ନିର୍ଦ୍ଧାରିତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ୩ ତାରିଖରେ ଲକ୍ଷ୍ମୀପୁର ଖୀରି ଜିଲ୍ଲା ତିକୋନିଆ ଅଞ୍ଚଳରେ ଅଜୟ ମିଶ୍ରଙ୍କ ଗାଁରେ ଏକ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚାଷୀମାନେ ବିରୋଧ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଚଳାଉଥିବା ଏକ ଜିପ ଆନ୍ଦୋଳନରୁ ଫେରୁଥିବା ଚାଷୀଙ୍କ ଉପରେ ଚଢେଇ ଦେଇଥିଲେ। ଫଳରେ ୪ ଜଣ ଚାଷୀ ଓ ଜଣେ ଗଣମାଧ୍ୟମ କର୍ମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
Powered by Froala Editor