୧ରୁ ରାଜ୍ୟରେ ସାମାନ୍ୟ କମିବ ପାରଦ

ଭୁବନେଶ୍ୱର:ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ନାକେଦମ କରିଦେଲାଣି ଜନଜୀବନକୁ । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଅବସ୍ଥା ବେହାଲ । ଡହଡହ ଖରା ଆଉ ଝାଞ୍ଜି ମାଡ଼ । ଉପକୂଳରେ ଗରମ ସାଙ୍ଗକୁ ଗୁଳୁଗୁଳି ବି ଯନ୍ତ୍ରଣା ବଢ଼ାଇ ଦେଲାଣି । ତେବେ ୧ରୁ ରାଜ୍ୟରେ ପାରଦ ସାମାନ୍ୟ କମିବ । ତଥାପି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ତେବେ ଆସନ୍ତା ୨ ଦିନ ଉପକୂଳ ଓଡ଼ିଶାରେ ଗରମ ଜାରି ରହିବ । ମେ’ ୧ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ନେଇ ପୂର୍ବାନୁମାନ କରାଯିବା ସହ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମ୍ଭାବ୍ୟ ବାତ୍ୟା ଆସିଲେ ଅଚାନକ ତାତି ପୂରା ହଜିଯିବ । ମାତ୍ର ବାତ୍ୟା ଯିବା ପରେ ପୁଣି ଅତର୍କିତ ଭାବେ ଉପରମୁହାଁ ହେବ ପାରଦ । ଗ୍ରୀଷ୍ମଜ୍ୱାଳା ଅସମ୍ଭାଳ ରୂପ ନେଇ କଲବଲ କରିବା ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ଆସନ୍ତା ୨/୩ ତାରିଖ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ଗ୍ରୀଷ୍ମ ଜ୍ୱାଳା ଜାରି ରହିବ । ଉପକୂଳ ଓଡ଼ିଶାରେ କାଳବୈଶାଖୀ ଯୋଗୁ ତାତି ସାମାନ୍ୟ କମିବ ୧ରୁ । ତଥାପି ପାରଦ ୩୭ରୁ ୩୯ ଡିଗ୍ରୀ ପାଖାପାଖି ରହିବ ଉପକୂଳରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ତାରିଖ ପରେ ତାତି କମିପାରେ । ତେବେ ସମ୍ଭାବ୍ୟ ବାତ୍ୟା ଯଦି ହୁଏ, ତେବେ ବାତ୍ୟା ପରେ ପୁଣି ତାତି ଅଚାନକ ବଢ଼ିଯିବ । ଫୋନି ବାତ୍ୟା ପରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଭୀଷଣ ଖରା ଛଟପଟ କରିଥିଲା, ସେଭଳି ସ୍ଥିତି ଆସିପାରେ । ମାତ୍ର ମେ’ ଚତୁର୍ଥ ସପ୍ତାହରେ ପୁଣି ତାତି କମିବା ସମ୍ଭାବନା ଅଛି ।
Powered by Froala Editor