ଆଜି ୧୨ଘଣ୍ଟିଆ ଆଠଗଡ ବନ୍ଦ
ଆଠଗଡ: ଆଜି ୧୨ଘଣ୍ଟିଆ ଆଠଗଡ ବନ୍ଦ । ଆଠଗଡ ସୁରକ୍ଷା ମଂଚ ପକ୍ଷରୁ ୧୨ ଘଣ୍ଟିଆ ଆଠଗଡ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମଂଚ ପକ୍ଷରୁ କୁହାଯାଇଛି । କଟକ ଉନ୍ନୟନ ସଂସ୍ଥା(ସିଡିଏ) ଅଧୀନକୁ ଚାଲିଯିବ ଆଠଗଡ଼ ବ୍ଳକର ୭୧ଟି ପଞ୍ଚାୟତ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଆଠଗଡ଼ବାସୀ ।
ଆଠଗଡ଼ବାସୀଙ୍କ ବିନା ପରମର୍ଶରେ ରାଜ୍ୟ ସରକାର ଏପରି ମନମୁଖୀ କାର୍ୟ୍ୟପନ୍ଥା ଅବଲମ୍ବନ କରୁଥିବାରୁ ଏହା ବିରୋଧରେ ଆଜି ୧୨ଘଣ୍ଟିଆ ଆଠଗଡ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁ ଦୋକାନ ବଜାର, ଗାଡିଚଳାଚଳ ବନ୍ଦ ରହିଛି । ଫଳରେ ସକାଳୁ ସକାଳୁ ଦୋକାନବଜାର ଖୋଲି ନ ଥିବା ବେଳେ ରାସ୍ତାଘାଟ ଖାଁ ଖାଁ ରହିଛି । ଆଠଗଡ଼ର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।
କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିଛି । ଏପରି ସ୍ଥିତିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଇ ବିଭିନ୍ନ ସ୍ଥାନରେ ପୋଲିସ୍ ମୁତୟନ କରାଯାଇଛି ।
Powered by Froala Editor