ଜଳସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ଜଳସଂପଦ ବିଭାଗର ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହେବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ଜଳସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ରୂପାନ୍ତର ଆଣିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର ପରିବର୍ତ୍ତନଶୀଳ ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଛନ୍ତି । ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହେବ। ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ୟ୍ୟକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି ।ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ । ଜଳସେଚନ ପ୍ରକଳ୍ପ ଗୁଡିକର କାର୍ୟ୍ୟକାରିତା କ୍ଷେତ୍ରରେ ୫-ଟି କାର୍ୟ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳସଂପଦ ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ବିଭାଗୀୟ ଇଂଜିନିୟର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବଲାଂଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବିତ କରାଯାଇଛି, ସେ ସଂପର୍କରେ ଜିଲ୍ଲାପାଳ ମାନେ ସୂଚନା ଦେଇଛନ୍ତି । ଆଲୋଚନା ପର୍ୟ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।
ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇଛି । ଇଂଜିନିୟରିଂ ଜ୍ଞାନକୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ୟ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସଂପର୍କରେ ଉପସ୍ଥାପନା ରଖାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି । ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକ ଯେଭଳି ଭାବରେ ଅଗ୍ରଗତି କରୁଛି, ଆଗାମୀ ୨-୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶ୍ୟାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଛନ୍ତି ।
Powered by Froala Editor