ମେ’ ୨ ଯାଏ କଲେଜ କ୍ଲାସ ବନ୍ଦ

ଭୁବନେଶ୍ୱର: ସାରା ରାଜ୍ୟରେ ଅଗ୍ନିବର୍ଷା । ଡହଡହ ଖରା ସହ ଝାଞ୍ଜିରେ ଅସ୍ତବ୍ୟସ୍ତ ଜନଜୀବନ । ଖରା ଏମିତି ହେଉଛି ଯେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।
ତାହା ହେଲା ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁର୍ବରୁ ୫ ଦିନିଆ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନେଇଥିବାବେଳେ ଏବେ କଲେଜରେ କ୍ଲାସ ବନ୍ଦ ନେଇ ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତାକାଲି ଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ଲାସ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ଣପ୍ରବାହ ଦୃଷ୍ଟିରୁ ଆସନ୍ତାକାଲି ଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ । କାଲିଠାରୁ ୨ ତାରିଖ ଯାଏ କ୍ଲାସରୁମ ପାଠପଢା ହେବନାହିଁ । ପ୍ରବଳ ଖରା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆଜିଠାରୁ ଏପ୍ରିଲ୍ ୩୦ ତାରିଖ ପର୍ୟ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବସୂଚୀ ଅନୁଯାୟୀ ଚାଲିବ । ଏହା ବନ୍ଦ ହେବ ନାହିଁ ।
ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଅଧିକାଂଶ ଜାଗାରେ ତାପମାତ୍ରା ୪୦ଂ ଉପରେ ରହୁଛି । ଏହି ତାତିରେ କୋମଳପତି ପିଲାମାନେ ସ୍କୁଲ ଯିବା ଆସିବା କରିବା ବିପଦପୂର୍ଣ୍ଣ ହୋଇଥିବାରୁ ଅଭିଭାବକମାନେ ଚିନ୍ତାରେ ପଡ଼ିଥିଲେ । ଏହା ଉପରେ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଥିଲା ।
ସୂଚନାଯୋଗ୍ୟ, କରୋନା ଯୋଗୁଁ ଦୁଇବର୍ଷ ହେଲା ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଏବର୍ଷ ସ୍କୁଲ ଖରାଛୁଟି ମାତ୍ର ୧୧ ଦିନକୁ କମାଇ ଦେଇଛନ୍ତି । ଜୁନ୍ ୧ ରୁ ୧୬ ପର୍ୟ୍ୟନ୍ତ ଖରାଛୁଟି ହେବ ବୋଲି ଘୋଷଣା କରାଯାଇଛି ।
ଆଜି ଘୋଷଣା ହୋଇଥିବା ୫ ଦିନିଆ ଛୁଟି ସହ ଖରାଛୁଟିର ସମ୍ପର୍କ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରବଳ ଖରା ଓ ତାତି ଯୋଗୁଁ ସରକାର ଏହି ସାମୟିକ ଛୁଟି ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor