ନାଇଟ୍ ଡ୍ୟୁଟି ସାରି ଫେରୁଥିଲେ, ପଛରୁ ପିଟିଲା ଟ୍ରକ୍ : ଡାକ୍ତର ମୃତ
ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଅକାଳ ନିଧନରେ ବାରିପଦା, ବାଲେଶ୍ବର ସମେତ ଜନ୍ମମାଟି ବେତନଟୀ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।
ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଞ୍ଜନ କୁମାର ଷଡଙ୍ଗୀ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ୍ରେ ଯାଇଥିଲେ। ତେଣୁ ସେ ସେଠାରେ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ମେଡିକାଲ୍ରେ ତାଙ୍କର ନାଇଟ୍ ଡ୍ୟୁଟି ଥିଲା। ତେଣୁ ସେ ନାଇଟ୍ ଡ୍ୟୁଟି ସାରି ଆଜି ସକାଳେ ବାରିପଦା ଫେରୁଥିଲେ। ସେ ନିଜେ କାର୍ ଚଳାଉଥିଲେ।
ଦିନ ପ୍ରାୟ ୯ଟା ୩୫ରେ ବେତନଟୀ ଥାନା ନୟାପୁରୁଷୋତ୍ତମ ନିକଟରେ ତାଙ୍କ କାର୍ (ଓଡି-୧୧କେ-୧୨୨୨) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯିବା ଫଳରେ ତାଙ୍କ ଓ୍ବାଗନ୍-ଆର୍ କାର୍ଟି ଭାଙ୍ଗି ଚୂର୍ମାର ହୋଇ ଯାଇଥିଲା। ନିଜେ କାର୍ ଡ୍ରାଇଭିଂ କରୁଥିବା ଡାକ୍ତର ଷଡ଼ଙ୍ଗୀ ବହୁ ସମୟ ଧରି ଷ୍ଟିୟରିଂରେ ଚାପି ହୋଇ ରହିଥିଲେ। ଜଙ୍ଗଲିଆ ସ୍ଥାନ ହୋଇଥିବାରୁ ଦୁର୍ଘଟଣା ସଂପର୍କରେ ପ୍ରଥମେ କେହି ଜାଣି ପାରିନଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜାତୀୟ ରାଜପଥରେ ପାଖାପାଖି ଗୋଟିଏ ଘଣ୍ଟା ରହିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ୟାସ୍ କଟର୍ରେ ଗାଡ଼ିକୁ କାଟି ଡାକ୍ତର ଷଡ଼ଙ୍ଗୀଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍ଏମ୍ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଉଥିଲା। ଭଦ୍ରକ ପାଖରେ ତାଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor