ଏପରି ବନାନ୍ତୁ ପାଳଙ୍ଗ ଶାଗ ଖାଇବେ ହାତଚାଟି
ଆସିଗଲା ଖରାଦିନ ଏବେ ଘରେ ଘରେ ପଖାଳ କଂସାକୁ ଶାଗ ଭଜା ବଡ଼ିଚୁରା । କିନ୍ତୁ ଆଜିକାଲିର ଆଧୁନିକ ପିଲାଙ୍କ ପାଇଁ ଶାଗଭଜା ଖାଇବା ଏତେ ପସନ୍ଦ ହେବା ଦେଖିବାକୁ ମିଳୁନି । କିନ୍ତୁ ଶାଗରେ ଭରିରହିଥାଏ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ, ଯାହା ଆମ ଶରୀରକୁ ସୁସ୍ଥ ଓ ହେଲଦି ରଖିବାରେ ସାହାର୍ଯ୍ୟ କରିଥାଏ । ପିଲାଙ୍କ ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ତେବେ ଆମକୁ ଟେଷ୍ଟି ଶାଗ ବନାଇବାକୁ ପଡ଼ିଥାଏ ଯାହା ପିଲାଙ୍କ ପାଇଁ ରୁଚିକର ହୋଇଥାଏ । ଏବେ ପ୍ରାୟ ସମସ୍ତଙ୍କ ଘରକୁ ପ୍ରାୟ ପାଳଙ୍ଗ ଆସୁଥିବ। କିଏ ବାଡିରେ କରୁଛନ୍ତି ତ ଆଉ କିଏ ବଜାରରୁ କିଣି ଆଣୁଛନ୍ତି। ପାଳଙ୍ଗ ଖାଇବାକୁ ଭାରି ସୁଆଦିଆ। ଏହାକୁ ବିଭିନ୍ନ ଉପାୟରେ ବନାଇ ଖାଇପାରିବେ। ତେବେ ଆଜି ଆମେ ଆପଣଙ୍କୁ କହୁଛୁ ପାଳଙ୍ଗ ସାଗ କେମିତି ପ୍ରସ୍ତୁତ କରିବେ ତାହା ପୁଣି ଖାଣ୍ଟି ଓଡିଆ ଷ୍ଟାଇଲରେ।
ଆବଶ୍ୟକ ସାମଗ୍ରୀ
ପାଳଙ୍ଗ, ଆଳୁ, ରସୁଣ କୋଲା, କଞ୍ଚା ଲଙ୍କା, ଲାଲ ସୁଖିଲା ଲଙ୍କା, ବଡି, ପିଆଜ, ପଞ୍ଚ ଫୁଟଣ, ହଳଦି, ସୋରିଷ ତେଲ, ଛୋଟ କଟା ଧନିଆ ପତ୍ରଏବଂ ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପାଳଙ୍ଗକୁ ଭଲଭାବେ ଧୋଇ କାଟି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍ ବସାଇ ସେଥିରେ ଅଳ୍ପ ସୋରିଷ ତେଲ ପକାଇ କଞ୍ଚା ଥିବା ବଡିକୁ ଭାଜିଦିଅନ୍ତୁ। ବଡି ଭଲଭାବେ ଭାଜି ହୋଇଗଲା ପରେ ଏହାକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏବେ ସେହି ପ୍ୟାନରେ ଆଉଟିକେ ତେଲ ପକାଇ ପଞ୍ଚ ଫୁଟଣ ପକାନ୍ତୁ। ଫୁଟଣ ଫୁଟି ଆସିଲେ ସେଥିରେ କଞ୍ଚା ଲଙ୍କା ଏବଂ ସୁଖିଲା ଲଙ୍କାକୁ ପକାଇ ଦିଅନ୍ତୁ। ଏହାପରେ ଏଥିରେ କାଟି ରଖିଥିବା ପିଆଜ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ସାମାନ୍ୟ ନରମ ହୋଇଆସିଲେ ସେଥିରେ ଛୋଟ ସାଇଜରେ କାଟି ରଖିଥିବା ଆଳୁ ପକାଇ ଲୁଣ ହଳଦି ପକାଇ ଢ଼ାଙ୍କୁଣୀ ଘୋଡାଇ ଦିଅନ୍ତୁ। ମଝିରେ ମଝିରେ ଢ଼ାଙ୍କୁଣୀ ଖୋଲି ଏହାକୁ ଚଲାନ୍ତୁ। ଆଳୁ ସିଝି ଆସିଲେ ସେଥିରେ କାଟି ରଖିଥିବା ପାଳଙ୍ଗକୁ ପକାଇ ଦିଅନ୍ତୁ। ଏଥିରେ ଆପଣ ସାଗର ପରିମାଣ ଦେଖିକି ଲୁଣ ପକାଇ ସିଝିବା ପାଇଁ ଘୋଡାଇ ଦିଅନ୍ତୁ। ପାଳଙ୍ଗ ସିଝିବା ଭିତରେ ଆପଣ ବଡକୁ ଛୋଟ ଖଣ୍ଡ କରିଦିଅନ୍ତୁ। ପାଳଙ୍ଗ ସିଝି ଆସିଲେ ସେଥିରେ ଦୁଇ ତିନି କୋଲା ରସୁଣକୁ ଛେଚି ପକାଇ ଗୋଳାଇ ଦିଅନ୍ତୁ। ଏହା ଭଲଭାବେ ସିଝିବା ପାଇଁ ଏହାକୁ ପୁଣି ଥରେ ଘୋଡାଇ ଦିଅନ୍ତୁ। ପାଳଙ୍ଗରୁ ସବୁ ପାଣି ମରିଗଲା ପରେ ଏଥିରେ ବଡି ପକାଇ କିଛି ସମୟ ଘୋଡାଇ ଦିଅନ୍ତୁ। ଏହାକୁ ଭଲଭାବେ ଚାମଚରେ ଚଲାଇ ଶେଷରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାଳଙ୍ଗ ଶାଗ ଖାଣ୍ଟି ଓଡିଆ ପ୍ରଣାଳୀରେ।
Powered by Froala Editor