ଆଜିଠୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିପାରିବେ ଭକ୍ତ
ପୁରୀ: ୨୦୨୦ମାର୍ଚ୍ଚ ୨୨ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତିକୁ ଭକ୍ତମାନେ ଦର୍ଶନ କରିବାରୁ ବଂଚିତ ହୋଇଥିଲେ । କୋଭିଡ୍ ସଂକ୍ରମଣ ହେତୁ ମଙ୍ଗଳ ଆଳତି ସମେତ ଶ୍ରୀମନ୍ଦିର ଦର୍ଶନକୁ ମଧ୍ୟ ପ୍ରଶାସନ ବନ୍ଦ କରି ଦେଇଥିଲା । ଏହି କଟକଣା ଧୀରେଧୀରେ କୋହଳ ହୋଇଥିଲା । ଗତକାଲି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ ଉପରୁ କଟକଣା ଉଠିନଥିଲା ।
ତେବେ ଆଜିଠୁ ଭକ୍ତମାନେ ଏହି ସୁଯୋଗ ପାଇବେ । ତା ବ୍ୟତୀତ ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଭକ୍ତଙ୍କ ଦର୍ଶନ ପ୍ରବେଶ ଉପରେ ଏକ ସପ୍ତାହ ମଧ୍ୟରେ କିଛି ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ବିଚାର କରୁଥବାର ସୂଚନା ମିଳିଛି ।
ଆଜିଠୁ ଶ୍ରୀମନ୍ଦିରରେ ଦ୍ୱାର ଫିଟା ଠାରୁ ଆରମ୍ଭ କରି ମଙ୍ଗଳ ଆଳତିରୁ ମହାପ୍ରଭୁଙ୍କ ରାତି ପହୁଡ ପର୍ବ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପ୍ରବେଶ ହୋଇପାରିବ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ପୁରୀ, ରାଜ୍ୟ ତଥା ଦେଶରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବା ନେଇ ଶନିବାର ଦିନ ଆଲୋଚନା ହୋଇଥିଲା । ସଂକ୍ରମଣ ସ୍ଥିତିକୁ ସମୀକ୍ଷା କରିବା ପରେ ଶନିବାର ଦିନ ପୁରୀ ଜିଲ୍ଲାପାଳ, ଏସପି, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସେବାୟତ ସଦସ୍ୟ, ଭିତରୁଛ, ଛତିଶା ନିଯୋଗର ବରିଷ୍ଠ ପ୍ରତିନିଧିମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଖାଲି ସେତିକି ନୁହେଁ ଏଣିକି ସବୁ ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଥିବା କଟକଣାକୁ ମଧ୍ୟ ଉଠାଇ ଦିଆଯାଇଛି ।
Powered by Froala Editor