୨୦୨୪ ସୁଦ୍ଧା ମାଲକାନଗିରିକୁ ଉଡିବ ବିମାନ

ଭୁବନେଶ୍ବର: ମାଓଗଡ଼ ମାଲକାନଗିରିକୁ ୨୦୨୪ ସୁଦ୍ଧା ବିମାନ ସେବା ସଂଯୋଗ ହେବ । ଏ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଛି । ମାଲକାନଗିରି ବିମାନ ବନ୍ଦର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ବିମାନ ବନ୍ଦର ନିର୍ମାଣ ସମ୍ବନ୍ଧୀୟ ତଥ୍ୟ ଆଲୋଚନା ଲାଗି ଉପସ୍ଥାପନ କରିଥିବା ବେଳେ ମୁଖ୍ୟ ଶାସନ ସଚିବ ବର୍ତ୍ତମାନ ସୁଦ୍ଧା ବିମାନ ବନ୍ଦର କାର୍ୟ୍ୟର ସମୀକ୍ଷା କରିଛନ୍ତି । ଜାନୁଆରୀ ୨୦୨୪ ସୁଦ୍ଧା ବିମାନ ଚଳାଚଳ ପାଇଁ ବିମାନ ବନ୍ଦରକୁ କାର୍ୟ୍ୟକ୍ଷମ କରିବା ପାଇଁ ପୂର୍ତ୍ତ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ବନ୍ଦର କାର୍ୟ୍ୟକ୍ଷମ ହେଲେ ଜିଲ୍ଲାରେ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିକଶିତ ହେବ । ଏହା ବ୍ୟତୀତ ବିମାନ ବନ୍ଦର ଜିଲ୍ଲାର ଆର୍ଥିକ ତଥା ବ୍ୟବସାୟିକ କାର୍ୟ୍ୟକଳାପକୁ ମଧ୍ୟ ବୃଦ୍ଧି କରିବ ବୋଲି ସେ କହିଛନ୍ତି । ପ୍ରଥମ ପର୍ୟ୍ୟାୟରେ ରାଜ୍ୟ ବିମାନ ପାଇଁ ବିମାନ ବନ୍ଦର ନିର୍ମାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଚାହିଦା ବୃଦ୍ଧି ସହିତ ବିମାନ ବନ୍ଦର ସମ୍ପ୍ରସାରଣ କରିବା ଲାଗି ବ୍ୟବସ୍ଥା କରାଯିବ ।
ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ବର୍ତ୍ତମାନ ମାଲକାନଗିରି ଏୟାରଫିଲ୍ଡ ୨ଈ ଶ୍ରେଣୀଯୁକ୍ତ ବିମାନ ବନ୍ଦର । ବିମାନ ବନ୍ଦର ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ଶେଷ ହୋଇଛି । ଗେଟ ସହ ଏହାର ପାଚେରୀ ନିର୍ମାଣ ହୋଇସାରିଛି । ଏହି ପ୍ରକଳ୍ପ ଲାଗି ୨୯ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ଲାଭ କରିଛି । ଏହି ପ୍ରକଳ୍ପ ଲାଗି ୭୪ ଏକର ସରକାରୀ ଜାଗା, ପ୍ରାୟ ୧୨୬ ଏକର ବେସରକାରୀ ଜାଗା ଓ ୩୩ ଜଙ୍ଗଲ ଜମି ରହିଛି । ସେ ଆହୁରି ସୂଚନା ଦେଇଛନ୍ତି ଯେ, ପ୍ରାୟ ୭୪ ଏକର ଜମିରେ ସରକାରୀ ଜମି ବିଚ୍ଛିନ୍ନ ହୋଇଛି ।ଷ୍ଟେଜ୍ -୧ ଜଙ୍ଗଲ କ୍ଲିୟରାନ୍ସ ମିଳିଛି । ଏବଂ ଷ୍ଟେଜ୍ -୧୧ ଜଙ୍ଗଲ କ୍ଲିୟରାନ୍ସ ପ୍ରକ୍ରିୟା ଚାଲିଛି । ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୫୪ ପରିବାରକୁ ଗ୍ରାମୀଣ ଗୃହ ଯୋଗଣ ଯୋଜନାରେ ବାସସ୍ଥାନ ଯୋଗାଇ ଦିଆଯାଇଛି ।
Powered by Froala Editor