ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ନବୀନ ପ୍ରଶଂସା କରିଛନ୍ତି। ଏହା ସହ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦେବା ପାଇଁ ଆହ୍ଵାନ କରିଛନ୍ତି।
ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ ।
ପ୍ରକାଶ ଥାଉକି, ୧୯୦୮ ମସିହାରେ ଏକ ଶ୍ରମିକ ଆନ୍ଦୋଳନ ପରେ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା । କାର୍ୟ୍ୟନିର୍ଘଣ୍ଟ କମ୍ କରିବା, ଦରମାବୃଦ୍ଧି ଓ ଭୋଟ୍ଦାନ ଅଧିକାର ପ୍ରଦାନ ଦାବିରେ ପ୍ରାୟ ୧୫,୦୦୦ ମହିଳା ନ୍ୟୁୟର୍କ ସହର ମଧ୍ୟରେ ବିକ୍ଷୋଭ କରିଥିଲେ । ସେମାନଙ୍କ ଆନ୍ଦୋଳନକୁ ସଫଳତା ମିଳିବା ପରେ ତା’ ପର ବର୍ଷ ଆମେରିକାରେ ଜାତୀୟ ମହିଳା ଦିବସ ପାଳିତ ହେଲା । ପରେ ଅନ୍ୟ ଦେଶମାନଙ୍କରେ ମହିଳା ଦିବସ ପାଳିତ ହେବାକୁ ଲାଗିଲା । ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାପୀ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରିବାକୁ ସିଦ୍ଧାନ୍ତ ନିଆଗଲା ।
Powered by Froala Editor