ମାଓ ଭୟ, ବଦଳିଲା ୩୯ ବୁଥ୍

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ ହେଉଛି । ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ତୁମୁଡିବନ୍ଧ ଏବଂ କୋଟଗଡ ବ୍ଲକରେ ଭୋଟ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳୁ ସକାଳୁ ସମସ୍ତ ବୁଥ୍ରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।
ଫିରିଙ୍ଗିଆ ବ୍ଲକରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯୁବକଙ୍କ ଜୀବନ ଯିବାପରେ ଗତ ୧୫ ତାରିଖରେ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ଗୁମି ଗ୍ରାମର କପିଳ ମାଝିଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମାଓବାଦୀ ଭୋଟ ନ ଦେବାକୁ ଗ୍ରାମବାସୀଙ୍କୁ ଧମକ ଦେଉଥିବାରୁ ଏହି ଦୁଇ ବ୍ଲକରେ ମୋଟ ୩୯ଟି ଅତି ସମ୍ବେଦନଶୀଳ ବୁଥ୍କୁ ବଦଳା ଯାଇଛି ।ଭୋଟରମାନେ କେଉଁଠି ଭୋଟ ଦେବେ ତାହା ସେମାନଙ୍କ ଅଞ୍ଚଳର ପ୍ରାର୍ଥୀମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । କୋଟଗଡ ବ୍ଲକରେ ୨୨ଟି ଏବଂ ତୁମୁଡିବନ୍ଧ ବ୍ଲକରେ ୧୭ଟି ବୁଥ୍ ବଦଳିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
କୋଟଗଡ ବ୍ଳକ ୨ ନଂ ଜୋନ ଏବଂ ତୁମୁଡିବନ୍ଧ ବ୍ଲକ ୭ ନଂ ଜୋନରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମିଶାଇ ମୋଟ ୩୧୫ ଜଣ ପ୍ରାର୍ଥୀ ରହିଛନ୍ତି । କୋଟଗଡରେ ୧୯୬ ଜଣ ପ୍ରାର୍ଥୀ ଥିବାବେଳେ ତୁମୁଡିବନ୍ଧରେ ୧୧୯ ଜଣ ଅଛନ୍ତି । କୋଟଗଡ଼ ବ୍ଲକରେ ୩୨ ହଜାର ୨୪ ଜଣ ଭୋଟର ଏବଂ ତୁମୁଡିବନ୍ଧ ବ୍ଲକରେ ୩୦ ହଜାର ୯୭୧ ଭୋଟର ସେମାନଙ୍କ ପ୍ରାର୍ଥୀ ଚୟନ କରୁଛନ୍ତି ।ନିର୍ବାଚନ ଲାଗି ସମସ୍ତ ପୋଲିଂ ପାର୍ଟି ନିଜ ନିଜର ବୁଥ୍ରେ ପହଞ୍ଚି ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତୁମୁଡିବନ୍ଧ ଏବଂ କୋଟଗଡର ଏହି ଅତି ସମ୍ବେଦନଶୀଳ ବୁଥ୍ ଅଞ୍ଚଳରେ ପୋଲିଂ ପାର୍ଟି ଭୟଭୀତ ଥିବା ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରେ ଏସବୁ ଅଞ୍ଚଳରେ କମ୍ବିଂକୁ ଜୋରଦାର କରାଯାଇଛି ।
Powered by Froala Editor