ଦୁର୍ବୃତ୍ତ ନେଇଗଲେ ବାଲାଟ ବକ୍ସ
ଭୁବନେଶ୍ୱର: ଆରମ୍ଭ ହେଲା ଗାଁ ଭୋଟର ଗଣପର୍ବ । ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ୟ୍ୟାୟରେ ଆଜି ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ । ତେବେ ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଭୋଟ ଚାଲିଥିବାବେଳେ ଦୁର୍ବୃତ୍ତମାନେ ବୁଥ ଭିତରେ ପଶି ବାଲାଟ ବକ୍ସ ନେଇଯାଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏଭଳି ଘଟଣା ଘଟିଛି । ଚାପମାଣିକ ପଞ୍ଚାୟତ ଅନ୍ତର୍ଗତ କାଶିଝରିଆ ଗାଁର ୯ ନମ୍ବର ବୁଥରେ ଏଭଳି ଘଟଣା ଘଟିଛି । ଭୋଟ ଚାଲିଥିବାବେଳେ କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେଠାରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଏଭଳି ଘଟଣା ଘଟିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ବୁଥକୁ ପହଞ୍ଚିଥିବା ଭୋଟର ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।
Powered by Froala Editor