ବିପ୍ଳବୀ କବି, ସାମାଜିକ କର୍ମୀ ତଥା ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ବରବରା ରାଓଙ୍କୁ ଶେଷରେ ଜାମିନ ମିଳିଛି। ସ୍ୱାସ୍ଥ୍ୟଗତ କାରଣରୁ ୮୧ ବର୍ଷୀୟ ରାଓଙ୍କୁ ବମ୍ବେ ହାଇକୋର୍ଟ ଆଜି ୬ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ କହିଛନ୍ତି, ଆମେ ରାଓଙ୍କୁ ଜାମିନ ନ ଦେଇଥିଲେ ତାହା ମାନବିକ ଅଧିକାର ନୀତି ଉଲ୍ଲଂଘନ ହେବା ସହ ଜୀବନ ଓ ସ୍ୱାସ୍ଥ୍ୟ ଲାଗି ଥିବା ନାଗରିକଙ୍କ ମୌଳିକ ଅଧିକାର ଅକ୍ଷୁଣ୍ଣ ରଖିବାରେ ଆମର ଦାୟିତ୍ୱରେ ତ୍ରୁଟି ହୋଇ ଥାଆନ୍ତା।
ତେବେ ଜାମିନ ଦେବା ବେଳେ କୋର୍ଟ କିଛି ସର୍ତ୍ତ ଲାଗୁ କରିଛନ୍ତି। ଜାମିନ ପରେ ବି ଶ୍ରୀ ରାଓ ଏହି ୬ ମାସ ଯାଏ ମୁମ୍ବାଇ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତଦନ୍ତକାରୀ ସଂସ୍ଥା ଯେତେବେଳେ ଆବଶ୍ୟକ କରିବ, ସେ ଏଥିରେ ପୂରା ସହଯୋଗ କରିବେ। କୋର୍ଟ ଶ୍ରୀ ରାଓଙ୍କୁ ନାନାବତୀ ହସ୍ପିଟାଲରୁ ଡିସଚାର୍ଜ କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ମନୀଷ ପିଟାଲେ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏଥିସହ ସେ ‘ଏନ୍ଆଇଏ’ ଅଦାଲତରେ ତାଙ୍କର ପାସ୍ପୋର୍ଟ ଦାଖଲ କରିବେ। ଏହି ମାମଲାରେ ତାଙ୍କର ସହ ଅଭିଯୁକ୍ତମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ନ କରିବାକୁ ତାଙ୍କୁ କୁହାଯାଇଛି। ଏହାଛଡ଼ା ତାଙ୍କୁ ୫୦ ହଜାର ଟଙ୍କାର ଏକ ବ୍ୟକ୍ତିଗତ ବଣ୍ଡ୍ ଓ ସମପରିମାଣର (୫୦ ହଜାର ଟଙ୍କାର ) ଦୁଇଟି ମୁଚାଲିକା ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।
ଭୀମା କୋରେଗାଓଁ ହିଂସା ଘଟଣାରେ ୨୦୧୮ରେ ଶ୍ରୀ ରାଓଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲ୍ରେ ରହିଛନ୍ତି। ତେବେ ଜେଲ୍ରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଥିଲା। ଏପରି କି ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।
44total visits,1visits today