ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ଶାହରୁଖ, ଆମିର
ବିଶ୍ୱର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ, ଜମିଆତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ମହମୁଦ ମଦାନୀ ଭାରତରୁ ସର୍ବୋଚ୍ଚ ସ୍ଥାନ ପାଇଛନ୍ତି ଏବଂ ଶ୍ରେଷ୍ଠ ୫୦ ମଧ୍ୟରେ ଏକମାତ୍ର ଭାରତୀୟ, ଯିଏ ୧୮ ନମ୍ବରରେ ଅଛନ୍ତି । ଏହା ବ୍ୟତୀତ, ବଲିଉଡ ଅଭିନେତା ଶାହରୁଖ ଖାନ, ଆମିର ଖାନ ଏବଂ ଅଭିନେତ୍ରୀ ଶବାନା ଆଜମୀଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ ଯେ ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ କରାଯାଇଛି । ଓସ୍କାର ଏବଂ ଗ୍ରାମୀ ପୁରସ୍କାର ବିଜେତା ଭାରତୀୟ ସଂଗୀତଜ୍ଞ ଏ.ଆର. ରହମାନ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଭାରତୀୟ ରାଜନୀତିରୁ AIMIM ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସି ଏବଂ AIUDF ପ୍ରତିଷ୍ଠାତା ବଦରୁଦ୍ଦିନ ଅଜମଲଙ୍କୁ ଏହି ପ୍ରଭାବଶାଳୀ ମୁସଲମାନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ବ୍ୟବସାୟ ଏବଂ ପରୋପକାର କ୍ଷେତ୍ରରୁ ୱିପ୍ରୋର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଜିମ୍ ପ୍ରେମଜୀଙ୍କୁ ଯୋଗ କରାଯାଇଛି ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ମୁସଲମାନ ତାଲିକାରେ ମିଳିତ ଭାବରେ ପ୍ରଥମ ସ୍ଥାନ ମିଳିଛି । ସାଉଦି ଆରବର ରାଜା ସଲମାନ ବିନ୍ ଅବଦୁଲଆଜିଜ୍ ଅଲ୍ ସୌଦ, କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ) ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟପ୍ ଏର୍ଡୋଗାନଙ୍କ ସହିତ ଏହି ଦୁଇ ନେତାଙ୍କୁ ମଧ୍ୟ ପ୍ରଥମ ସ୍ଥାନ ମିଳିଛି ।
ବିଶ୍ୱର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାକୁ "ଦି ମୁସଲିମ ୫୦୦" କୁହାଯାଏ । ଏହି ତାଲିକା ଜୋର୍ଡାନର ଅମ୍ମାନରେ ଥିବା ରୟାଲ ଇସଲାମିକ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ସେଣ୍ଟର ଦ୍ୱାରା ପ୍ରକାଶିତ ହୋଇଛି। ରୟାଲ ଇସଲାମିକ୍ ସେଣ୍ଟର ୨୦୨୭ ପାଇଁ ଏହାର ୧୮ତମ ସଂସ୍କରଣ ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବିଭିନ୍ନ ଦେଶରୁ ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ନାମ ଅନ୍ତର୍ଭୁକ୍ତ । ସବୁଠାରୁ ବଡକଥା ହେଉଛି ଏହି ବର୍ଷ ୨୨ ଜଣ ଭାରତୀୟ ନାଗରିକ ଏଥିରେ ସାମିଲ ହୋଇଛନ୍ତି ।
Powered by Froala Editor