ଓଡ଼ିଶାରେ ଶଟଡାଉନ୍ ଲାଗୁ କରାଯିବା ପରିସ୍ଥିତି ଆସିନି: ରାଜ୍ୟ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ମାଡ଼ିଚାଲିଛି । ପୁଣି ଦୈନିକ ୧୦ ହଜାରୁ ଅଧିକ ସଂକ୍ରମିତ ବାହାରିଛନ୍ତି। ଆକ୍ରାନ୍ତ ବଢୁଥିଲେ ବି ସୁସ୍ଥ ହାର କମ୍ ରହିଥିଲେ ମଧ୍ୟ ଓଡ଼ିଶାରେ ଏବେ ଶଟଡାଉନ୍ ଲାଗୁ କରାଯିବା ପରିସ୍ଥିତି ଆସିନି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ ନାହିଁ। ତୃତୀୟ ଲହରୀରେ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି। ତେଣୁ ସାଧାରଣ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ କରାଯିବ ନାହିଁ। ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବାକୁ ସେ ପରାମର୍ଶ ଦେବା ସହ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ଆଗାମୀ କିଛିଦିନ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଦ୍ୱିତୀୟ ଲହରୀରେ ୧୦ ପ୍ରତିଶତ କୋଭିଡ୍ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏବେ ମାତ୍ର ୨ ପ୍ରତିଶତ ରୋଗୀ ହସ୍ପିଟାଲ ଯାଉଛନ୍ତି । ସମସ୍ତଙ୍କର ସହଯୋଗ ଯୋଗୁ ମହାମାରୀ ପରିସ୍ଥିତିକୁ ମୁକାବିଲା କରିବାରେ ଏପର୍ୟ୍ୟନ୍ତ ଓଡ଼ିଶା ସକ୍ଷମ ହୋଇଛି । ବୟସ୍କ ଲୋକ, ଗର୍ଭବତୀ ଓ ଛୋଟ ପିଲାମାନେ ଯେଭଳି ସଂକ୍ରମିତ ନହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍ । ଯଦି କୌଣସି ଲକ୍ଷଣ ଦେଖାଯାଉଛି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି ଓ ଡାକ୍ତରଙ୍କ ପରାମର୍ଶରେ ଏହା ସେବନ କରିବାକୁ ସେ କହିଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ ୧୧ହଜାର ମଧ୍ୟରେ ରହୁଥିଲେ ମଧ୍ୟ ଲୋକେ ଭୟଭୀତ ନହୋଇ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
Powered by Froala Editor