ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ସହାୟତା ଯୋଗାଇ ଦେବାକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ
ଭୁବନେଶ୍ୱର- ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚଳିତବର୍ଷ ଖରିଫ ଚାଷ ବ୍ୟାପକଭାବେ ପ୍ରଭାବିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅତିଶୟ ବର୍ଷା, ଅକ୍ଟୋବର ନଭେମ୍ବର ମାସରେ ଅଦିନିଆ ବର୍ଷା ଓ ଅନେକ ଜିଲ୍ଲାରେ ଚକଡ଼ା ପୋକ ଦ୍ୱାରା ବହୁଳ ଭାବରେ ଫସଲ ନଷ୍ଟ ହୋଇଥିଲା । ଯାହାକିଛି କ୍ଷେତରେ ଧାନ ଥିଲା ତାହା ପାଚିଲା ବେଳକୁ ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଦ୍ୱାରା ଲକ୍ଷ ଲକ୍ଷ ହେକ୍ଟର ଜମିରେ ପାଣିରେ ବୁଡ଼ିଯିବା ଯୋଗୁଁ ବର୍ତ୍ତମାନ ପାଚିଲା ଧାନ ଜମିରେ ପଚିଲାଣି । ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଆହାର । ପନିପରିବା ଫସଲ ମଧ୍ୟ ବ୍ୟାପକ ଭାବରେ ନଷ୍ଟ ହୋଇଛି ।
ଖରିଫ୍ ଓ ରବି ଚାଷ ପାଇଁ ଚାଷୀ ଧାର କରଜ କରିଥିବା ବେଳେ ବର୍ତ୍ତମାନ ଫସଲ କ୍ଷତି ଯୋଗୁଁ ଏହା ପରିଶୋଧ କରିବା କାଠିକର ପାଠ୍ । ଯାହାକି ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା । କ୍ଷେତ୍ରସ୍ତରରୁ ଯାହା ଜଣାଯାଏ ପ୍ରତି ଗୁଣ୍ଠ ପିଚ୍ଛା ଜମିରେ ଚାଷୀକୁ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଏହା ସହ କୃଷି ଉପôାଦନ ପାଇଁ ଆବଶ୍ୟକ ସରକାରୀ କୃଷି ଇନ୍ପୁଟ୍ ସହାୟତା ପାଇବାରେ ଅହେତୁକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ପ୍ରଚଳିତ କୃଷି ଇନପୁଟ୍ ସହାୟତା ସମୁଦ୍ରକୁ ସଙ୍ଖେ, ଯାହାକି ଚଳିତ ବର୍ଷ ଏକ ଏକର ଜମିରେ ଚାଷୀକୁ ୬୦ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା ବେଳେ ପ୍ରତି ହେକ୍ଟର ପିଚ୍ଛା ଜଳ ସେଚିତ ଅଞ୍ଚଳ ପାଇଁ ୧୩,୫୦୦ ଓ ଅଣଜଳସେଚିତ ଅଞ୍ଚଳ ପାଇଁ .୬,୮୦୦ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏଥିରେ ଚାଷୀର କ୍ଷତି ଭରଣା ହେବା ସମ୍ଭବପର ନୁହେଁ ।
ତେଣୁ ଚାଷୀକୁଳର ଏଭଳି ଦୁଃଖଦ ପରିସ୍ଥିତି ସମ୍ପର୍କରେ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଟଙ୍କୁ ରାଜ୍ୟ କୃଷି ଭବନଠାରେ ସାକ୍ଷାତ ଆଲୋଚନା କରି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତିରେ କ୍ଷେତ୍ର କର୍ମଚାରୀଙ୍କଦ୍ୱାରା ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଗୁଣ୍ଠ ପିଚ୍ଛା ୩ ହଜାର କିମ୍ବା ଏକର ପିଚ୍ଛା ୫୦ ହଜାର ଟଙ୍କା ଆର୍ଥôକ ସହାୟତା, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯାଉଥିବା ପ୍ରଚଳିତ କୃଷି ଇନପୁଟ୍ ସହାୟତା ୩ ଗୁଣା ବୃଦ୍ଧି, ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼ କରିବା ସହିତ ବିନା ସୁଧରେ ରବି ଚାଷ ପାଇଁ କୃଷିଋଣ ଯୋଗାଣ, ଜଳକର, ଚାଷ କାର୍ଯ୍ୟପାଇଁ ବ୍ୟବହୃତ ବିଜୁଳି ଶୁଳ୍କ ଛାଡ଼, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସର୍ତାବଳୀ ଅନୁଯାୟୀ ଚାଷୀଙ୍କୁ ଅଗ୍ରୀମ କ୍ଷତିପୂରଣ, ଚଳିତ ରବି ଚାଷ ପାଇଁ ମାଗଣାରେ ବିଭିନ୍ନ ପ୍ରକାର ବିହନ, ମଞ୍ଜି, ସାର, କୀଟନାଶକ ଔଷଧ ଓ ୯୦ ପ୍ରତିଶତ ରିହାତିରେ କୃଷି ଯନ୍ତ୍ରପାତି, ସ୍କୁଲ, କଲେଜ ପଢ଼ୁଥିବା ଚାଷୀମାନଙ୍କ ପିଲାମାନଙ୍କଠାରୁ ସଂମ୍ପୂର୍ଣ୍ଣ ଫି ଛାଡ଼ କରାଯିବାକୁ ଦୃଢ଼ ଦାବୀ କରି ଏକ ୭ ଦଫା ସମ୍ବଳୀତ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କୃଷି କମିଶନର ତଥା ଶାସନ ସଚିବ ଶ୍ରୀ ବଶିଷ୍ଟଙ୍କୁ ଅନୁରୋଧ କରିଛନ୍ତି ।
Powered by Froala Editor