‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍କା ଆୱାର୍ଡ
ମୁମ୍ବାଇରେ ଆୟୋଜିତ ଇନ୍କା (ଆଇଏନ୍ସିଏ) ଆୱାଡର୍ସ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ୨୦୨୫ରେ ମୁକ୍ତିଲାଭ କରିଥିବା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ‘ବୋଉ ବୁଟୁ ଭୂତ’କୁ ଶ୍ରେଷ୍ଠ ପୁରସ୍କାର ପାଇଁ ବିଚାରକମାନେ ଚୟନ କରିଥିଲେ। ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି।
ବୋଉ ବୁଟୁ ଭୂତର ଅଭିନେତା ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ବାବୁସାନ ଫିଲ୍ମସ ତଥା ପ୍ରଯୋଜିକା ତୃପ୍ତି ମହାନ୍ତିଙ୍କୁ ଶ୍ରେଷ୍ଠ ଫିଲ୍ମ, ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ସି.ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଇନକା ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଇନ୍କା ଉତ୍ସବରେ ବଲିଉଡ୍ ଏବଂ ଟଲିଉଡ୍ର ତାରକାଙ୍କ ମେଳରେ ‘ବୋଉ ବୁଟୁ ଭୂତ’କୁ ଏହି ଜାତୀୟ ପୁରସ୍କାର ମିଳିଥିବାରୁ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ପାଇଁ ଆଉଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଫିଲ୍ମର ପ୍ରଯୋଜିକା ତଥା ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏହି ସମ୍ମାନ ଗ୍ରହଣ କରିବା ସମୟରେ ମଞ୍ଚରେ ବେଶ୍ ଭାବବିହ୍ବଳ ହୋଇପଡିଥିଲେ।
ତୃପ୍ତି କହିଥିଲେ, ଏହା ମୋର ପ୍ରଥମ ଫିଲ୍ମ। ଜଣେ ଗଣିତ ଶିକ୍ଷକ ଆଜି ପ୍ରଯୋଜକ ଭାବେ ପ୍ରଥମଥର ଷ୍ଟେଜ୍ରେ ଛିଡା ହୋଇ ପୁରସ୍କାର ଗ୍ରହଣ କରୁଛନ୍ତି। ସ୍ବାମୀଙ୍କ ପାଇଁ ପ୍ରଯୋଜକ ଭାବେ କାମ କରିବା ଆରମ୍ଭ କରିଛି। ଓଡିଶାବାସୀଙ୍କ ଭଲ ପାଇବା ଆଉ ସିନେମା ପ୍ରତି ଥିବା ସେମାନଙ୍କର ବିଶ୍ୱାସ ପାଇଁ ଏହି ସମ୍ମାନ ମିଳିଛି ବୋଲି ତୃପ୍ତି କହିଛନ୍ତି।
Powered by Froala Editor