ଯୁଦ୍ଧର ପ୍ରଭାବ : CNG ପୁଣି ମହଙ୍ଗା ହେଲା
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ CNG ଦର ବଢ଼ାଇଛି। ଦିଲ୍ଲୀରେ CNG ଦର ପ୍ରତି କିଲୋଗ୍ରାମରେ ୩ ଟଙ୍କା ୮୯ ପଇସା ବୃଦ୍ଧି ପାଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି।
ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ, ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପଡ଼ିଛି। ଗୁରୁଗ୍ରାମରେ CNG ଦର ୯୨.୦୧ ଟଙ୍କା, ଗାଜିଆବାଦରେ ୯୫.୫୯ ଟଙ୍କା ଏବଂ ମେରଠରେ ୯୫.୪୭ ଟଙ୍କା ପ୍ରତି କେଜି ହୋଇଛି।
ଏହା ଚଳିତ ବର୍ଷର ପ୍ରଥମ CNG ଦର ବୃଦ୍ଧି ନୁହେଁ। ଗତ ଚାରି ମାସ ମଧ୍ୟରେ ଦିଲ୍ଲୀ-NCR ଅଞ୍ଚଳରେ CNG ଦର ପ୍ରାୟ ୧୦ ଟଙ୍କା ପ୍ରତି କିଲୋଗ୍ରାମ ବଢ଼ିଛି। ଏହି ସମୟ ମଧ୍ୟରେ ମୋଟ ପାଞ୍ଚଥର CNG ଦର ବୃଦ୍ଧି କରାଯାଇଛି।
ଯୁଦ୍ଧ ଆରମ୍ଭ ହେବା ପରେ ୧୫ ମେରେ ପ୍ରଥମଥର CNG ଦର ବଢ଼ିଥିଲା। ସେତେବେଳେ IGL ପ୍ରତି କିଲୋଗ୍ରାମରେ ୨ ଟଙ୍କା ବୃଦ୍ଧି ଘୋଷଣା କରିଥିଲା। ଏହା ପରେ ୧୭ ମେ, ୨୩ ମେ ଏବଂ ୨୬ ମେରେ ମଧ୍ୟ ପର୍ଯ୍ୟାୟକ୍ରମେ CNG ଦର ବଢ଼ାଯାଇଥିଲା। ବିଶେଷକରି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଏନର୍ଜି କାର୍ଗୋ ପରିବହନରେ ବାଧା ଓ ଅନିଶ୍ଚିତତା ଅନ୍ତର୍ଜାତୀୟ ଏଲଏନଜି ବଜାରକୁ ପ୍ରଭାବିତ କରିଛି। ଏହା ସହିତ ୟୁରୋପରେ ଶୀତ ଋତୁ ପୂର୍ବରୁ ଗ୍ୟାସ ମହଜୁଦ ବଢ଼ାଇବାକୁ ଚାହିଦା ବଢୁଛି। ଯାହା ଅନ୍ତର୍ଜାତୀୟ ଏଲଏନଜି ମୂଲ୍ୟ ଉପରେ ପ୍ରଭାବ ପକାଇଛି।
Powered by Froala Editor