EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା
କର୍ମଚାରୀଙ୍କ ଦୀର୍ଘମିଆଦୀ ସଞ୍ଚୟ ପାଇଁ ଲାଗୁ ହେଉଥିବା ଦରମା ସୀମାକୁ କେନ୍ଦ୍ର ସରକାର ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରିଛନ୍ତି। ଏହାଦ୍ୱାରା ଆଉ ୫୧ ଲକ୍ଷରୁ ଅଧିକ କର୍ମଚାରୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)ରେ ସାମିଲ ହେବେ।
ସରକାର କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ EPFOର ଦରମା ସୀମାରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହାପରେ ୨୦୧୪ ସେପ୍ଟେମ୍ବରରେ ଏହାକୁ ବଢ଼ାଇ ୧୫,୦୦୦ ଟଙ୍କା କରାଯାଇଥିଲା। ନୂଆ ପଦକ୍ଷେପରେ ଏହି ସୀମାକୁ ଆହୁରି ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘ ସମୟ ଧରି ଦରମା ବୃଦ୍ଧି, ବଢ଼ୁଥିବା ଆୟ ଏବଂ ଔପଚାରିକ ନିଯୁକ୍ତିର ନିରନ୍ତର ବିସ୍ତାରକୁ ପ୍ରତିଫଳିତ କରିବା।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୧୫,୦୦୦ରୁ ୨୫,୦୦୦ ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ଏହି ପରିବର୍ତ୍ତନରୁ ଲାଭ ପାଇବେ ଏବଂ ଏବେ ସଂଶୋଧିତ PF ନିୟମ ଅଧୀନରେ ଆସିବେ। ଏହି ପଦକ୍ଷେପ ପାଇଁ ସରକାରଙ୍କ ବାର୍ଷିକ ଆନୁମାନିକ ଖର୍ଚ୍ଚ ୧୧,୩୩୯ କୋଟି ଟଙ୍କା ହେବ।
ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୪ ପରଠାରୁ ଗତ ୧୨ ବର୍ଷ ମଧ୍ୟରେ ହାରାହାରି ଓ ସର୍ବନିମ୍ନ ଦରମା ସହ ଜୀବନଯାପନ ଖର୍ଚ୍ଚରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଜଣେ ବେତନଭୋଗୀ କର୍ମଚାରୀଙ୍କ ହାରାହାରି ମାସିକ ଆୟ ଏବେ ପ୍ରାୟ ୨୩,୦୦୦ ଟଙ୍କାରେ ପହଞ୍ଚିଛି।
ଏହି ସମୟ ମଧ୍ୟରେ ସେମାନେ କର୍ମଚାରୀ ପେନସନ ଯୋଜନା (EPS)ର ସୁବିଧାରୁ ବଞ୍ଚିତ ଥିଲେ। ତେଣୁ ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ EPFOର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆଣିବା ପାଇଁ ଦରମା ସୀମା ବଢ଼ାଇବାର ଆବଶ୍ୟକତା ଥିଲା।
Powered by Froala Editor