ହିମାଳୟରେ ଗ୍ଲେସିୟର କ୍ରମାଗତ ତରଳୁଛି
ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ, ହିମାଳୟରେ ଥିବା ଗ୍ଲେସିୟରଗୁଡ଼ିକ ତରଳିବା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ସଂଯୁକ୍ତ ରାଷ୍ଟ୍ର (UN) ର ଆକଳନ ଅନୁଯାୟୀ, ଗତ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ନେପାଳ ନିଜର ପ୍ରାୟ ଗୋଟିଏ ତୃତୀୟାଂଶ ବରଫ ହରାଇସାରିଛି ।
ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧିର ହାର ବିଶ୍ୱର ହାରାହାରି ତାପମାତ୍ରା ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ । ବୃଦ୍ଧି ପାଉଥିବା ତାପମାତ୍ରା କେବଳ ଗ୍ଲେସିୟରକୁ ପଛକୁ ନେଉନାହିଁ, ବରଂ ପାହାଡ଼ଗୁଡ଼ିକର ସ୍ଥିରତାକୁ ମଧ୍ୟ ପ୍ରଭାବିତ କରୁଛି । ଏହାର ପ୍ରଥମ ପ୍ରଭାବ ଭାରତର ହିମାଳୟ ସଂଲଗ୍ନ ରାଜ୍ୟଗୁଡ଼ିକ ଉପରେ ଦେଖିବାକୁ ମିଳିବ । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶ ପରି ରାଜ୍ୟଗୁଡ଼ିକରେ ଗ୍ଲେସିଆଲ୍ ହ୍ରଦ ବୃଦ୍ଧି ପାଇବା ଦ୍ୱାରା ଆକସ୍ମିକ ବନ୍ୟା (GLOF) ଓ ଭୂସ୍ଖଳନର ଆଶଙ୍କା ବୃଦ୍ଧି ପାଇବ ।
ପୁରୁଣା ବୈଜ୍ଞାନିକ ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ଗଙ୍ଗା ଏବଂ ବ୍ରହ୍ମପୁତ୍ର ଅବବାହିକାରେ ଗ୍ଲେସିୟରର କ୍ଷେତ୍ରଫଳ ପ୍ରାୟ ୩୫ ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ କମିଯିବାର ଅନୁମାନ କରାଯାଇଛି । ସେହିପରି ସିନ୍ଧୁ ଅବବାହିକାରେ ଏହି ହ୍ରାସ ପ୍ରାୟ ୨୦ ରୁ ୨୮ ପ୍ରତିଶତ ରହିପାରେ । ଗ୍ଲେସିୟରଗୁଡ଼ିକ ଦ୍ରୁତ ଗତିରେ ତରଳିବା ଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ ।
Powered by Froala Editor