ମହାପ୍ରଳୟରେ ଖିନଭିନ୍ ନେପାଳ, ମୃତ୍ୟୁସଂଖ୍ୟା ୪୬୯
ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୪୬୯ରେ ପହଞ୍ଚିଛି। ୨୯୦ ଭାରତୀୟଙ୍କ ସମେତ ୧୬୦୦ ଜଣ ନିଖୋଜ ଅଛନ୍ତି । ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ଜଣ ନିଖୋଜ ଅଛନ୍ତି । ତାମିଲନାଡୁର ୨ଟି ଗ୍ରୁପର ୩୭ ଓ ୩୯ ଜଣଙ୍କ ପତ୍ତା ମିଳୁନି । ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୩୨ ଜଣଙ୍କୁ ଠାବ କରାଯାଇ ପାରିନାହିଁ । ଅନ୍ୟାନ୍ୟ ରାଜ୍ୟର ୬୧ ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେତେ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇନଥିବା କହିଛି ମନ୍ତ୍ରଣାଳୟ । ଏବେ ବି ନେପାଳ ଉପରୁ ବିପଦ ଟଳିନାହିଁ । ପୁଣି ବନ୍ୟା ଚେତାବନୀ ଦେଇଛି ଚୀନ ।
ଅପରପକ୍ଷରେ ତିବ୍ବତ ପାର୍ଶ୍ୱରେ ଫସିରହିଥିବା ପ୍ରାୟ ୨୦୦ ଜଣ ଭାରତୀୟ କୈଳାସ ମାନସରୋବର ତୀର୍ଥଯାତ୍ରୀ ଭାରତ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ବନ୍ୟାରେ ନେପାଳର ଭିତ୍ତିଭୂମି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ୩୫ଟି ମୋଟର ସେତୁ, ୪୫ଟି ଝୁଲା ପୋଲ ଏବଂ ବେତ୍ରାବତୀ-ରସୁୱାଗଢ଼ି ୪୨ କିଲୋମିଟର ରାଜପଥ ସହ ପ୍ରାୟ ୪୦ କିଲୋମିଟର ପକ୍କା ସଡ଼କ ଭାସିଯାଇଛି। ତ୍ରିଶୂଳୀ-୧ ଓ ଦେବୀଘାଟ ସମେତ ୧୨ଟି ଜଳବିଦ୍ୟୁତ୍ ପ୍ରକଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଛି।
ଆମେରିକାର ଭୂବିଜ୍ଞାନ ସର୍ବେକ୍ଷଣ (ୟୁଏସ୍ଜିଏସ୍) ଅନୁଯାୟୀ, ହିମସ୍ଖଳନ ଓ ଭୂସ୍ଖଳନ ଯୋଗୁ ବିଶାଳ ବରଫ, ପଥର ଓ ମାଟି ମାଡ଼ି ଆସି ‘ଲହେନ୍ଦେ ନଦୀ’ର ସ୍ରୋତକୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲା। ପରେ ଏହି ସାମୟିକ ବନ୍ଧ ହଠାତ୍ ଭାଙ୍ଗିଯିବାରୁ ସଞ୍ଚିତ ପ୍ରବଳ ଜଳରାଶି, କାଦୁଅ ଓ ଧ୍ୱଂସାବଶେଷ ନିମ୍ନଭାଗରେ ଥିବା ଭୂତେ କୋଶୀ ଏବଂ ତ୍ରିଶୂଳୀ ନଦୀ ମଧ୍ୟକୁ ମାଡ଼ିଆସି ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ସୃଷ୍ଟି କରିଥିଲା।
Powered by Froala Editor