ଫେବୃୟାରୀ ମାସ ସୁଦ୍ଧା କିଡ୍ନୀ ପ୍ରତିରୋପଣ ଅପେକ୍ଷାରେ ୬୧,୬୬୮ ରୋଗୀ
ନୂଆଦିଲ୍ଲୀ: ଭାରତରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରତିବର୍ଷ ଅନେକ ରୋଗୀ ପ୍ରାଣ ହରାଉଛନ୍ତି । ଦେଶରେ ଚଳିତ ବର୍ଷ ଫେବୃୟାରୀ ମାସ ସୁଦ୍ଧା ମୋଟ ୬୧,୬୬୮ ଜଣ ରୋଗୀ କିଡ୍ନୀ ପ୍ରତିରୋପଣ ଅପେକ୍ଷାରେ ଥିବା ପାର୍ଲାମେଂଟ ଷ୍ଟାଣ୍ଡିଂ କମିଟିର ଏକ ଅନୁଧ୍ୟାନରୁ ଜଣାପଡିଛି ।
ବଡ଼ ରାଜ୍ୟରେ ଅନ୍ୟୁନ ୩ଟି ମେଡିକାଲ କଲେଜ ଓ ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକରେ ଅତି କମ୍ରେ ଗୋଟିଏ ମେଡିକାଲ କଲେଜରେ ଉନ୍ନତ ମାନର ପ୍ରତିରୋପଣ ସୁବିଧା ରଖିବାକୁ କମିଟି ପରାମର୍ଶ ଦେଇଛନ୍ତି ।
ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଗତ ୨୦୨୫ ମସିହାରେ ଭାରତରେ ୧୧,୫୮୮ ଜଣ ଜୀବିତ ଏବଂ ୧୯୧୮ ଜଣ ମୃତବ୍ୟକ୍ତିଙ୍କଠାରୁ କିଡ୍ନୀ ସଂଗ୍ରହ କରାଯାଇ ରୋଗୀମାନଙ୍କଠାରେ ପ୍ରତିରୋପଣ କରାଯାଇଥିଲା । ୨୦୨୬ ଫେବୃୟାରୀ ମାସ ସୁଦ୍ଧା ପ୍ରାୟ ୬୧,୬୬୮ ରୋଗୀ ପ୍ରତିରୋପଣ ଅପେକ୍ଷାରେ ଥିଲେ । ଅଗଷ୍ଟ ସୁଦ୍ଧା ଏହି ସଂଖ୍ୟା ୬୨,୦୦୦ରେ ପହଂଚି ଯାଇଥିବା ଅନୁମାନ କରାଯାଉଛି । ନିକଟରେ ଶେଷ ହୋଇଥିବା ପାର୍ଲାମେଂଟର ମୌସୁମୀ ଅଧିବେଶନରେ କମିଟି ତା’ର ରିପୋର୍ଟ ଉପସ୍ଥାପିତ କରିଥିଲା । କମିଟି ତା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଯେତିକି କିଡ୍ନୀ ଆବଶ୍ୟକ, ସେତିକି ନ ମିଳିବାରୁ ସମସ୍ୟା ଜଟିଳ ରୂପ ଧାରଣ କରିଛି । ଅନ୍ୟପକ୍ଷରେ କୀଡ୍ନୀ ପ୍ରତିରୋପଣ ସୁବିଧା କେବଳ ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ପରି କିଛି ବିକଶିତ ରାଜ୍ୟରେ ମିଳୁଥିବା ବେଳେ ଅନ୍ୟ ରାଜ୍ୟଗୁଡିକରେ ଏଯାଏ ପ୍ରକୃଷ୍ଟ ସୁବିଧା ଉପଲବ୍ଧ ହୋଇନାହିଁ । ତେଣୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଚନ୍ତି ।
Powered by Froala Editor