୪ରେ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କରିବ ଇସ୍ରୋ
ନୂଆଦିଲ୍ଲୀ: ଲଞ୍ଚପ୍ୟାଡ୍ଠୁ ପ୍ରାୟ ୮ ମାସ ଦୂରରେ ରହିବା ପରେ ଓ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକଲ (ପିଏସ୍ଏଲ୍ଭି )ର ଗୋଟିଏ ପରେ ଗୋଟିଏ ବିଫଳତା ପରେ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) । ଆସନ୍ତା ସେପ୍ଟେମ୍ବର ୪ ତାରିଖ ଭୋର ସମୟରେ ଇସ୍ରୋ ନିଜର ଅନ୍ୟତମ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍ଜର୍ଭେସନ୍ ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କରିବ । ଜିଓସିକ୍ରୋଂନସ୍ ସାଟେଲାଇଟ୍ ଲଞ୍ଚ ଭେଇକଲ (ଜିଏସ୍ଏଲ୍ଭି ଏଫ୍-୧୭) ରକେଟ୍ ଦ୍ୱାରା ଏହାକୁ ଛଡ଼ାଯିବ ବୋଲି ଇସ୍ରୋ ମୁଖ୍ୟ ଡ. ଭି. ନାରାୟଣନ କହିଛନ୍ତି । ଏହି ମିଶନ ଇଓଏସ୍-୫ (ପୂର୍ବରୁ ଜିଆଇସାଟ୍ ୧-ଏ ନାମରେ ପରିଚିତ) ସାଟେଲାଇଟ୍କୁ ନେବ । ପୃଥିବୀଠୁ ପ୍ରାୟ ୩୬ ହଜାର କିମି ଉଚ୍ଚତାରୁ ଦେଶ ଉପରେ ନିରନ୍ତର ନଜର ରଖିବାକୁ ଏହାକୁ ଡିଜାଇନ୍ କରାଯାଇଛି । ଡ. ନାରାୟଣନଙ୍କ ଅନୁସାରେ, ଏବେଠୁ ମାର୍ଚ୍ଚ, ୨୦୨୭ ମଧ୍ୟରେ ୭ ଉତ୍କ୍ଷେପଣ ପାଇଁ ଇସ୍ରୋର ଯୋଜନା ରହିଛି । ତନ୍ମଧ୍ୟରେ ଗଗନଯାନ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମର ବହୁପ୍ରତୀକ୍ଷିତ ଜି-୧ ମିଶନ ଅନ୍ତର୍ଗତ ପ୍ରଥମ ମାନବରହିତ ଉଡ଼ାଣ ସାମିଲ ।
ଚଳିତ ଆର୍ଥିକ ବର୍ଷ ନିମନ୍ତେ ଇସ୍ରୋ ଏକ ମହତ୍ୱାକାଂକ୍ଷୀ ରୋଡ୍ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛି । ୧୨ ସାଟେଲାଇଟ୍ ପ୍ରସ୍ତୁତି ଓ ୮ ଲଞ୍ଚ ଭେଇକଲ ମିଶନ ପୂରା କରିବା ଏହାର ଲକ୍ଷ୍ୟ । ଏହି ମିଶନ ଯୋଗାଯୋଗ, ମାର୍ଗଦର୍ଶନ (ନାଭିଗେସନ୍), ପୃଥିବୀ ଅବଲୋକନ ଓ ବୈଜ୍ଞାନିକ ଅଧ୍ୟୟନକୁ ସମର୍ଥନ ସହିତ ଭବିଷ୍ୟତ ମାନବ ମହାକାଶ ଯାତ୍ରା ଓ ଅନ୍ୱେଷଣ କାର୍ଯ୍ୟକ୍ରମ ନିମନ୍ତେ ମୂଳଦୂଆ ପକାଇବ ।
Powered by Froala Editor