ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ
ଗାୟକ ଜୁବିନ୍ ନୌଟିୟାଲ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉତ୍ତରାଖଣ୍ଡରେ ଅତି ନିରାଡ଼ମ୍ବର ଉତ୍ସବରେ ସେ ତାଙ୍କର ପିଲାଦିନର ସାଥୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଇ-ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଜୁବିନ ନୌଟିୟାଲ ନିଜର ପିଲାଦିନର ବାନ୍ଧବୀଙ୍କ ସହ ବିବାହ କରିଛନ୍ତି। ନିଜ ହୋମ୍ଟାଉନ୍ରେ ଏକ ଅତି ବ୍ୟକ୍ତିଗତ ତଥା ଘରୋଇ ସମାରୋହରେ ସେ ପରିବାର ଓ ନିକଟତର ସମ୍ପର୍କୀୟଙ୍କ ଗହଣରେ ବିବାହ କରିଛନ୍ତି।
ଏପର୍ଯ୍ୟନ୍ତ ଜୁବିନ୍ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ଅଫିସିଆଲ୍ ଫଟୋ ବା ବୟାନ ଜାରି କରାଯାଇ ନାହିଁ। ଏପରିକି ସେ କାହାକୁ ବିବାହ କରିଛନ୍ତି, ତାଙ୍କ ପତ୍ନୀଙ୍କ ପରିଚୟ ମଧ୍ୟ ଏବେ ଯାଏ ସସପେନ୍ସରେ ରହିଛି।
ଏବେ ଜୁବିନ ନିଜ ଜୀବନସାଥୀଙ୍କୁ ଗଣମାଧ୍ୟମର ନଜରରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ତେବେ ଗତ ଭାଲେଣ୍ଟାଇନ୍ସ ଡେ’ ଅବସରରେ ସେ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ନିଜ ବାନ୍ଧବୀଙ୍କର ଏକ ଝଲକ ଦେଖାଇଥିଲେ। ସେବେଠାରୁ ପ୍ରଶଂସକମାନେ ତାଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା କରୁଥିଲେ। ଜୁବିନଙ୍କ ବିବାହର କୌଣସି ଫଟୋ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ।
୨୦୧୧ରେ 'ଏକ୍ସ-ଫ୍ୟାକ୍ଟର ଇଣ୍ଡିଆ'ରୁ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ। 'ସୋନାଲି କେବଲ୍' ଫିଲ୍ମର 'ଏକ୍ ମୁଲାକାତ୍' ଗୀତରୁ ବଲିଉଡରେ ପରିଚୟ ମିଳିଥିଲା। 'ରାତାଁ ଲମ୍ବିୟାଁ', 'ତୁମ୍ ହି ଆନା' ଏବଂ 'ତୁଝେ କିତନା ଚାହେଁ ଔର ହମ୍' ଭଳି ଅନେକ ସୁପରହିଟ୍ ଗୀତ ସେ ଭେଟି ଦେଇଛନ୍ତି। ତେବେ ଦେଶର ଜଣେ ଚର୍ଚ୍ଚିତ ଗାୟକ ହୋଇଥିଲେ ମଧ୍ୟ ସାଧାରଣ ଢଙ୍ଗରେ ବିବାହ କରି ଏବେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Powered by Froala Editor