୮୫ ତମ ଉତ୍କଳ ଦିବସ
ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ, ଗଞ୍ଜାମକୁ ନେଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ।
ହେଲେ ବିଡମ୍ବନାର ବିଷୟ ଯେ ଅନ୍ୟ ଭାଷା ଭଳି ଓଡିଆ ଭାଷା ଅଗ୍ରଗତି କରିପାରୁନାହିଁ । ଲୋକେ ଓଡିଆରେ କଥା ହେବାକୁ କୁଣ୍ଠାବୋଧ କରୁଛନ୍ତି । ସରକାରୀ କାର୍ୟ୍ୟାଳୟରେ ସମ୍ପୂର୍ଣ୍ଣ ଭାବରେ ଓଡିଆ ଭାଷା କାର୍ୟ୍ୟକାରୀ ହୋଇପାରିନି । ଏପରିକି ପଡୋଶୀ ବି ଆମ ଓଡିଶାର ସୀମାନ୍ତ ଅଞ୍ଚଳ ଗୁଡିକୁ ମାଡି ବସିଲେଣି । ଓଡିଆ ଭାଷାକୁ ଆଗକୁ ନେବାକୁ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକଙ୍କ ଏକତାର ଆବଶ୍ୟକତା ରହିଛି ।
ଆଜି ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟରେ ଲୋକାର୍ପଣ ହେବାକୁ ଯାଉଛି ଗାନ୍ଧିଜୀଙ୍କ ସର୍ବ ବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ କ୍ୟାଣ୍ଟନମେଣ୍ଟ ରୋଡଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ୧୯୨୧ ମସିହା ମାର୍ଚ୍ଚ ୨୩ରେ କଟକର କାଠଯୋଡି ନଦୀପଠାରେ ଆୟୋଜନ ହୋଇଥିବା ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ । ସେହି ସମୟର ଏକ ଦୃଶ୍ୟପଟକୁ ନେଇ ତିଆରି ହୋଇଥିବା ଏହି ବିରାଟ ପ୍ରତିମୂର୍ତ୍ତି ନିଶ୍ଚିତରୂପେ କଟକକୁ ଆସୁଥିବା ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବ ।