ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ : ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ୨୦୨୬ ଲୋକସଭାରେ କାଟ୍ ଖାଇବା ପରେ ଶାସକ ଓ ବିରୋଧୀ ଦଳଗୁଡିକ ପକ୍ଷରୁ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିଲ୍କୁ ଅନୁମୋଦନ ହେବାକୁ ଦେଇ ନଥିବା ବିରୋଧୀ ଦଳଗୁଡିକ ଆଗାମୀ ଦିନରେ ମହିଳାଙ୍କ କ୍ରୋଧର ସମ୍ମୁଖୀନ ହେବେ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀ ପାର୍ଟି ବିଲ୍କୁ ରୋକିବା ପୂର୍ବକ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ ହେବାକୁ ଦେଇ ନାହାନ୍ତି। ବିଲ୍କୁ ରୋକିବା ପରେ ବିରୋଧୀ ଦଳଗୁଡିକ ଯେଉଁ ବିଜୟ ଉତ୍ସବ ପାଳନ କରିଛନ୍ତି ତାହା ନିନ୍ଦନୀୟ।
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ‘ଏକ୍ସ’ର ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ସରକାର ମହିଳାଙ୍କ ନାମରେ ଅସାମ୍ବିଧାନିକ କୌଶଳ ଆପଣାଇଥିଲେ। ଏହି ଅସାମ୍ବିଧାନିକ କୌଶଳ ମାଧ୍ୟମରେ ସରକାର ସମ୍ବିଧାନକୁ ଭାଙ୍ଗିବାର ଯୋଜନା କରିଥିଲେ। ସରକାରଙ୍କ ଏହି ଅସାମ୍ବିଧାନିକ କୌଶଳକୁ ଇଣ୍ଡିଆ ରୋକିବାରେ ସଫଳ ହୋଇଛି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ ଏମକେ ଷ୍ଟାଲିନ ବିଲ୍ କାଟ୍ ଖାଇବାକୁ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ର ପୋଷ୍ଟରେ ସେ ଲେଖିଛନ୍ତି ଦିଲ୍ଲୀକୁ ତାମିଲନାଡୁ ହରାଇଲା। ଏପ୍ରିଲ ୨୩ରେ ଆମେ ଦିଲ୍ଲୀର ଔଦ୍ଧତ୍ୟକୁ ହରାଇବୁ।
କଂଗ୍ରେସ ସାଂସଦ ଶଶୀ ତରୁର୍ କହିଛନ୍ତି ଯେ ଏହା ବିରୋଧୀ ଦଳଗୁଡିକର ଏକ ବଡ ବିଜୟ। ବିରୋଧୀ ଦଳଗୁଡିକ ଗଣତନ୍ତ୍ରକୁ ରକ୍ଷା କରିବା ଲାଗି ମିଳିତ ଭାବେ ଭୋଟ ଦେଇଛନ୍ତି।
ବିଜେପି ସାଂସଦ କଙ୍ଗନା ରଣାୱତ କହିଛନ୍ତି ଯେ ଆଜିର ଦିନ ଭଳି ଯନ୍ତ୍ରଣା ଦାୟକ ଦିନ କେବେ ହେଲେ ଗୃହରେ ଘଟି ନଥିଲା। ବିରୋଧୀ ଦଳଗୁଡିକ ମହିଳାଙ୍କ ମାନସିକତାକୁ ବଡ ଆଘାତ ଦେଇଛନ୍ତି। ଏହା ମୋ ପାଇଁ ବ୍ୟକ୍ତିଗତ ସ୍ତରରେ ବଡ କ୍ଷତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେମାନେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବାରେ ସଫଳ ହେବୁ ବୋଲି ଆମର ବିଶ୍ବାସ ରହିଛି।
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ନଥିଲା। ଏହା ଦେଶର ଗଣତନ୍ତ୍ରର ସୁରକ୍ଷା ସହିତ ଜଡିତ ଥିଲା। ଆମେ ସୀମା ପୁନଃନିର୍ଦ୍ଧାରଣ ସହିତ ମହିଳା ସଂରକ୍ଷଣକୁ ଯୋଡି ପାରିବା ନାହିଁ। ବିଲ୍ କାଟ୍ ଖାଇବା ଦେଶର ଗଣତନ୍ତ୍ର ପାଇଁ ବଡ ବିଜୟ। ଯେଉଁମାନେ ହଥରାସ, ଉନ୍ନାଓ ଓ ମଣିପୁର ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି ସେମାନେ ମହିଳା ସଂରକ୍ଷଣ ବାବଦରେ କହିବା ଠିକ୍ ନୁହେଁ।
Powered by Froala Editor